ନୂଆଦିଲ୍ଲୀ(ଆମ ଟିଭି): ଏବେ ଆର୍ଥିକ ସଂକଟ ଦେଇ ଗତିକରୁଛି କଂଗ୍ରେସ। ଦୀର୍ଘଦିନଧରି ରାଜନୈତିକ ସଂକଟର ସମ୍ନା କରୁଥିବା କଂଗ୍ରେସ ପାଇଁ ଏବେ ପାଣ୍ଠି ଯୋଗାଡ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ତେବେଏହି ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇଁ ବାମ ଦଳର କେରଳ ମଡେଲକୁ ଆପଣାଇବାକୁ ଯାଉଛି କଂଗ୍ରେସ। ଉକ୍ତ ମଡେଲ ଆଧାରରେ ବାମ ଦଳ ଡୋର୍ ଟୁ ଡୋର୍ ଅଭିଯାନ ଚଳାଇଥାଏ । ଏଥିରୁ ଦଳ ଅର୍ଥ ଏକଜୁଟ କରିଥାଏ । ଏହାସହ ଦାନକର୍ତ୍ତାଙ୍କୁ ଏହା ବଦଳରେ ସ୍ଲିପ୍ ମଧ୍ୟ ଦିଆଯାଇଥାଏ । ରିପୋର୍ଟ ଅନୁସାରେ ରାଜସ୍ଥାନ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରେ ସିପିଆଇ(ଏମ୍)ର ମଡେଲକୁ ନେଇ ଚର୍ଚ୍ଚା କରାଯାଇଥିଲା । କେରଳ କଂଗ୍ରେସର ପୂର୍ବତନ ମୁଖ୍ୟ ରମେଶ ଚେନ୍ନିଥଲା ଏହି ମଡେଲକୁ ଅପଣାଇବାକୁ ପ୍ରସ୍ତାବ ଦେଇଥିଲେ । ସୂଚନା ମୁତାବକ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ କରିବାକୁ ନେଇ ସଭାରରେ ଆଲୋଚନା ହୋଇଛି।
ଇସିଆଇରେ ଦାଖଲ କରାଯାଇଥିବା ଅଡିଟ୍ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ମସିହାରେ କଂଗ୍ରେସର ଆୟ ୨୮୫.୭ କୋଟି ଟଙ୍କା ଥିଲା । ଏହା ପୂର୍ବର ଆର୍ଥିକ ବର୍ଷରେ ଏହି ସଂଖ୍ୟା ୬୮୨.୨ କୋଟି ଟଙ୍କା ଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ ଦଳର ଆୟ ୯୧୮ କୋଟି ଟଙ୍କା ଥିଲା । ରିପୋର୍ଟ ଅନୁସାରେ, ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ ଦଳରେ ଆର୍ଥିକ ସଙ୍କଟ ଦେଖାଦେଇଛି ।