ବିପଦ ସଙ୍କେତ ଉପରେ ନରାଜରେ ପ୍ରବାହିତ ହେଉଛି ବନ୍ୟାଜଳ: ଆତଙ୍କିତ ତଳିଆ ଅଞ୍ଚଳବାସୀ
କଟକ (ଆମ ଟିଭି): ଦିନକୁ ଦିନ ବେକାବୁ ହେଉଛି ବନ୍ୟା ସ୍ଥିତି । ହୀରାକୁଦରେ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ଫଉଳଉଛି ମହାନଦୀ । ନରାଜରେ ବିପଦ ସଙ୍କେତ ଉପରେ ରହିଛି ବନ୍ୟାଜଳ । ମୁଣ୍ଡୁଳିଠାରେ ଏବେ ବନ୍ୟାର ପିକ ଫ୍ଲୋ ଚାଲିଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ମୁଣ୍ଡଳିଠାରେ ଏବେ ପ୍ରତି ସେକେଣ୍ଡରେ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ମୋଟ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ଏବେ ହୀରାକୁଦରେ ପ୍ରତି ସେକେଣ୍ଡରେ ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୭୯ ହଜାର ୬୩୮ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।
ହୀରାକୁଦରେ ବର୍ତ୍ତମାନ ଜଳସ୍ତର ୬୨୬ ଦଶମିକ୍ ୫୬ ମିଟର ରହିଛି । ଗତକାଲି ରାତି ୧୨ରୁ ଗୋଟାଏ ମଧ୍ୟରେ ମୁଣ୍ଡୁଳିଠାରୁ ପାଣି ଛଡାଯିବା ପରେ କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀରେ ବନ୍ୟାଜଳ ପ୍ରବେଶ ଆରମ୍ଭ ହୋଇସାରିଛି । ଆଜି ସନ୍ଧ୍ୟା ପର୍ୟ୍ୟନ୍ତ ଜଳ ପ୍ରବାହ ଜାରି ରହିବ ବୋଲି ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରାହ୍ମଣୀ, ବୈତରଣ. ସୁବର୍ଣ୍ଣରେଖା, ଜଳକା, ଦେବୀ ନଦୀରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତେଣୁ ଉପକୂଳ ଓଡ଼ିଶାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି ।