ଜୟପୁର (ଆମ ଟିଭି): ୧୦୦ ଦିନରେ ପହଞ୍ଚିଲାଣି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା । କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ଲୋକ ଯୋଡ଼ି ହେଉଛନ୍ତି । ଏହାରି ଭିତରେ କଂଗ୍ରେସ ପଦଯାତ୍ରାରେ ସାମିଲ ହୋଇଛନ୍ତି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । କଂଗ୍ରେସର ଭାରତ ଯୋଡ ଯାତ୍ରା ୯୭ ଦିନରେ ପହଞ୍ଚିଛି । ଆଜି ରାଜସ୍ଥାନର ମାଧୋପୁରରୁ ସକାଳୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଶହ ଶହ ସମର୍ଥକଙ୍କ ସହ ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ । ସଚିନ ପାଇଲଟ ଓ ବହୁ ବରିଷ୍ଠ ନେତା ଆଜି ଯାତ୍ରାରେ ସାମିଲ ହୋଇଥିଲେ । ତେବେ ରାହୁଲଙ୍କ ପଦଯାତ୍ରାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କିଛି ସମୟ ପାଇଁ ସାମିଲ ହୋଇଥିଲେ ।
ପଦଯାତ୍ରା ବେଳେ ସେ ରାହୁଲଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିଥିଲେ । ରାଜନ ଆରବିଆଇର ୨୩ତମ ଗଭର୍ଣ୍ଣର ରହିଥିଲେ । ୨୦୧୩ରୁ ୨୦୧୬ ଯାଏଁ ସେ ଗଭର୍ଣ୍ଣର ପଦରେ ରହିଥିଲେ । କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଭଳି ଅନେକ ନୀତିକୁ ଖୋଲାଖୋଲି ବିରୋଧ କରି ରାଜନ ଅନେକ ଥର ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି ।