ଭୁବନେଶ୍ୱର (ଆମ ଟିଭି): ଖୋଲୁଛି ଭୁବନେଶ୍ୱରର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର । ଏହାରି ଭିତରେ ରହସ୍ୟମୟୀ ସୁନ୍ଦରୀ ଅର୍ଚ୍ଚନା ନାଗ୍ ଚଳାଇଥିବା ସେକ୍ସ ରାକେଟ ମାମଲା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବଡ଼ ବୟାନ। ସେ କହିଛନ୍ତି, ଅର୍ଚ୍ଚନା ଚଳାଇଥିବା ସେକ୍ସ ରାକେଟ ଓ ବ୍ଲାକ୍ ମେଲ ମାମଲାରେ ଅନେକ ବିଜେଡି ନେତା, ମନ୍ତ୍ରୀ, ଅଫିସରଙ୍କ ସମ୍ପୃକ୍ତି ରହିଛି। ବିଜେପିର ମଧ୍ୟ କିଛି ପୂର୍ବତନ ମନ୍ତ୍ରୀ ଓ ସଦସ୍ୟଙ୍କ ସମ୍ପୃକ୍ତି ରହିଛି। ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ। ତେଣୁ ବିଜେଡି ସରକାର ଚାପରେ ପଡ଼ି ଜବତ ହୋଇଥିବା ଲାପଟପ୍ ଓ ମୋବାଇଲ୍ରେ ଥିବା ଭିଡ଼ିଓ, ଫଟୋ, ନାମ ବିଷୟରେ ପୁଲିସ ତଥ୍ୟ ଲୁଚାଉଛି।
ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜବତ ଲାପଟପ୍ ଭିତରେ ଥିବା ରହସ୍ୟକୁ ପୁଲିସ ସମସ୍ତଙ୍କ ସାମ୍ନାକୁ ନ ଆଣିବା ଭଳି ଅର୍ଚ୍ଚନା ମାମଲାରେ ମଧ୍ୟ ତଥ୍ୟ ନଷ୍ଟା କରାଯିବା କିଛି ଅସମ୍ଭବ ନୁହେଁ। ବିଜେଡି ନେତା ମାନେ ସଫା ପୋଷାକ ପିନ୍ଧି ଘୃଣ୍ୟ କାମ କରୁଛନ୍ତି। ସେମାନଙ୍କ ନାମକୁ ସାଧାରଣରେ ପ୍ରକାଶ କରାଯିବା ସହ ମାମଲା କରାଯାଉ। ଲୋକ ଜାଣିବେ କେଉଁମାନେ ଘୃଣିତ କାମ କରୁଛନ୍ତି। ମାମଲାର ଏସଆଇଟି ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କରିବାକୁ ସେ ଦାବି କରିଛନ୍ତି। ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେହେତୁ ଏହି ମାମଲାରେ ବଡ଼ବଡ଼ ସରକାରୀ ଅଧିକାରୀ, ରାଜନେତା, ବ୍ୟବସାୟୀ ସମ୍ପୃକ୍ତ ଅଛନ୍ତି, ପୋଲ ଖୋଲିଯିବା ଭୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ସମସ୍ତଙ୍କୁ ଘଣ୍ଟ ଘୋଡ଼ାଉଛି। ତେଣୁ ସମ୍ପୃକ୍ତ ଥିବା ସବୁ ଚେହେରା ବାହାରକୁ ଆସିବାର ଆବଶ୍ୟକତା।