ଆରମ୍ଭ ହେଲା ସୁପ୍ରିମକୋର୍ଟରେ ୩୭୦ ମାମଲାର ଶୁଣାଣି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜିଠାରୁ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ସମ୍ବିଧାନ ପୀଠ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ବିଭିନ୍ନ ଆବେଦନର ଶୁଣାଣି ଆରମ୍ଭ କରିଛନ୍ତି। ୫ ଜଣିଆ ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ଜଷ୍ଟିସ ସଂଜୟ କିଶନ କୌଲ, ସଂଜୀବ ଖାନ୍ନା, ବି.ଆର ଗୱାଇ ଏବଂ ସୂର୍ଯ୍ୟକାନ୍ତ। ଆବେଦନକାରୀଙ୍କ ପକ୍ଷରୁ ଆଜି ବରିଷ୍ଠ ଓକିଲ କପିଲ ସିବଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ। ଆସନ୍ତାକାଲି ମଧ୍ୟ ସିବଲ ଏହି ମାମଲାରେ ତାଙ୍କ ପକ୍ଷ ରଖିବେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ଆବେଦନକାରୀଙ୍କ ମୁଖ୍ୟ ଓକିଲଙ୍କୁ ବିଭିନ୍ନ ଦିଗରୁ ଯୁକ୍ତି ବାଢ଼ିବାପାଇଁ ଅନୁମତି ଦିଆଯିବ।
ସିବଲ ଆଜି କୋର୍ଟରେ ଯୁକ୍ତି ବାଢ଼ି କହିଛନ୍ତି, ସମ୍ବିଧାନ ସଭାର ନିଷ୍ପତ୍ତି ମୁତାବକ ଧାରା ୩୭୦ ସମ୍ବିଧାନରେ ଏକ ସ୍ଥାୟୀ ବ୍ୟବସ୍ଥା ଥିଲା। ଧାରା ୩୭୦ ଉଚ୍ଛେଦ ପାଇଁ ସଂସଦ ନିଜକୁ ଜମ୍ମୁ କାଶ୍ମୀରର ବିଧାନସଭା ବୋଲି ଘୋଷଣା କରିପାରିବ ନାହିଁ। ସମ୍ବିଧାନର ଧାରା ୩୫୪ ସଂସଦକୁ ଏମିତି କିଛି କ୍ଷମତା ଦେଇନାହିଁ। ଜମ୍ମୁ କାଶ୍ମୀର ରାଜ୍ୟ ସହ କୌଣସି ପ୍ରକାର ଯୋଗାଯୋଗ ନକରି ହଠାତ୍ ଏହି ସ୍ବତନ୍ତ୍ର ସାମ୍ବିଧାନିକ ବ୍ୟବସ୍ଥାକୁ ଅଚଳ କରିଦିଆଗଲା। ଧାରା ୩୭୦ ଉଚ୍ଛେଦ କରିବପାଇଁ ସମ୍ବିଧାନ ସଭାରେ ସୁପାରିସ ଗ୍ରହଣ କରାଯିବାର ଥିଲା। କିନ୍ତୁ ସେଭଳି କିଛି ହୋଇନାହିଁ। ଜମ୍ମୁ କାଶ୍ମୀର ପୁନର୍ଗଠନ ଆଇନ-୨୦୧୯ ଯାହା ଜମ୍ମୁ କାଶ୍ମୀରକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ତଥା ଜମ୍ମୁ କାଶ୍ମୀର ଏବଂ ଲଦାଖରେ ପରିଣତ କରିଛି ସେନେଇ ସିବଲ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ ବିଚାରପତି ଆଜି ଶୁଣାଣିରେ କହିଥିଲେ ଯେ ସମ୍ବିଧାନ ସଭା ଦ୍ବାରା ପାରିତ ପ୍ରସ୍ତାବ ଆରମ୍ଭରେ ବିଚାର କରାଯାଇଥିଲା ଯେ ଅବଶିଷ୍ଟ ଶକ୍ତି ରାଜ୍ୟ ହାତରେ ରହିବ। ଯେତେବେଳେ ସମ୍ବିଧାନକୁ ଗ୍ରହଣ କରାଗଲା ସେତେବେଳେ ଏହି ଶକ୍ତି କେନ୍ଦ୍ର ପାଖକୁ ଆସିଲା। ଏହା ଉପରେ ସିବଲ କହିଥିଲେ ଯେ ୩୭୦ ହଟାଇବା ପାଇଁ ରାଜ୍ୟ ଆଇନ ତିଆରି କରିପାରିବ। ଭାରତ ସରକାର ଏହାକୁ ହଟାଇପାରିବେ ନାହିଁ।