‘ପରଦା ପଛର ଖଳନାୟକଙ୍କୁ ଛଡ଼ାଯିବନି

0

ବିଜେଡିର ପ୍ରଭାବଶାଳୀ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଇଙ୍ଗିତରେ ତାଙ୍କ ସମର୍ଥକମାନେ ମୋ ଉପରେ ଆକ୍ରମଣ କରିଛନ୍ତି। ସେମାନେ ମୋତେ ମାରିଦେବା ପାଇଁ ଚାହୁଁଥିଲେ। ୨୫ ବର୍ଷର କ୍ଷମତାରେ ରହି ହଟିବା ପରେ ସେମାନେ ପଇସା ପାଇଁ ପରଦା ପଛରେ ରହି ଏଭଳି କାଣ୍ଡ ଭିଆଉଛନ୍ତି। ପରଦା ପଛରେ ରହି ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଆଉ ବରଦାସ୍ତ କରାଯିବନି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତକାଲି ମରାଣାନ୍ତକ ଆକ୍ରମଣ ପରେ ଆଜି ଏଭଳି ଢଙ୍ଗରେ ବୟାନ ଦେଇଛନ୍ତି ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ)।

ବିଧାୟକ କହିଛନ୍ତି, ଯେଉଁମାନେ ଏଭଳି ନିନ୍ଦନୀୟ ଘଟଣା ଘଟାଇଥିଲେ, ସରକାରଙ୍କ ପକ୍ଷରୁ ଲିଗାଲ ଆକ୍ସନ ନିଆଯାଇଛି। ଯେଉଁମାନେ ଆକ୍ରମଣ କରିଥିଲେ ସେମାନଙ୍କ ମଧ୍ୟରୁ ୧୦ ଜଣ ଗିରଫ ହୋଇସାରିଲେଣି। ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ। ଯିଏ ଦୋଷୀ ତାକୁ ଗିରଫ କରାଯିବ, ବିଜେଡି ଯେପରି ନିର୍ଦ୍ଦୋଷଙ୍କୁ ଗିରଫ କରୁଥିଲା, ସେପରି କିଛି ହେବ ନାହିଁ। ଭାରତୀୟ ଜନତା ପାର୍ଟି ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟ କରେ ଓ ଆଇନ ଉପରେ ଭରସା କରେ। ଆଇନ ତା’ ବାଟରେ ନିଶ୍ଚୟ ଯିବ। ଯେଉଁମାନେ ଦୋଷୀ ଅଛନ୍ତି, ସେମାନଙ୍କୁ ଗିରଫ କରାଯିବ।

ବିଜୁ ଜନତା ଦଳ ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଆଜି ଭୟଭୀତ। ଏପରି ଗୁଣ୍ଡାଗିରିକୁ ଭାରତୀୟ ଜନତା ପାର୍ଟି ବରଦାସ୍ତ କରିବନି। ଯେଉଁମାନେ ୨୫ ବର୍ଷ ହେବ ଶାସନ ଭାରକୁ ନିଜ ମୁଠିରେ ରଖି ନିଜ କଳ ଚଳାଉଥିଲେ, ଯେତେବେଳେ ଏହି କଳ ବନ୍ଦ ହୋଇଯାଉଛି, ନିଜର ବ୍ୟକ୍ତିଗତ ସ୍ୱାର୍ଥରେ ପଇସା ରୋଜଗାର ହୋଇପାରୁନାହିଁ, ସେମାନେ ଭୟଭୀତ ହୋଇ ଏପରି କାର୍ଯ୍ୟ କରୁଛନ୍ତି। ରାଜନୀତିରେ ଏପରି ଆକ୍ରୋଶ ମୁଁ ଯାଜପୁରରେ ହେବାର ଦେଖିନାହିଁ। ମୁଁ ପ୍ରଥମ ଥର ଦେଖୁଛି ବୋଲି ଧର୍ମଶାଳା ବିଧାୟକ କହିଛନ୍ତି।

Leave A Reply

Your email address will not be published.