ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ହରିୟାଣାରେ ଚାଲିଛି । ଏହି କ୍ରମରେ ଆଜି ଯାତ୍ରା ପାନିପତ ଠାରେ ପହଂଚିବା ପରେ ରାହୁଲ ଗାନ୍ଧୀ ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ଏହି କ୍ରମରେ ଉଭୟ କଂଗ୍ରେସ ନେତା କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି ।
ରାହୁଲ ଗାନ୍ଧୀ କହିଥିଲେ କି ଦେଶର ମୋଟ ସମ୍ପତ୍ତିର ଅଧା କେବଳ ୧୦୦ ଜଣ ଧନୀଙ୍କ ପାଖରେ ରହିଛି । ଏହା କଣ ନ୍ୟାୟ ବୋଲି ସେ ଜନତାଙ୍କୁ ପଚାରିଛନ୍ତି । ଏହାସହ ଦେଶରେ ହେଉଥିବା ବ୍ୟବସାୟର ୯୦ ପ୍ରତିଶତ ଲାଭ କେବଳ ୨୦ ଟି କମ୍ପାନୀ ହାତକୁ ଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ଭାରତ ଏବେ ୨ଟି ହିନ୍ଦୁସ୍ତାନରେ ପରିଣତ ହୋଇଛି । ଗୋଟିକରେ ଶ୍ରମିକ, କୃଷକ ରହୁଥିବା ବେଳେ ଅନ୍ୟଟିରେ କେବଳ ୨୦୦ ରୁ ୩୦୦ ଲୋକ ରହୁଛନ୍ତି । ଏହି ୨୦୦-୩୦୦ ଲୋକଙ୍କ ପାଖରେ ସବୁ ଧନ ରହିଥିବା ବେଳେ ଶ୍ରମିକ ଓ କୃଷକଙ୍କ ପାଖରେ କେବଳ ପବନ ରହିଛି । ଯାହାକି ସେମାନଙ୍କୁ ଜୀବିତ ରଖିବାରେ ସହାୟକ ହେଉଛି ।