କାନାଡା ପାଇଁ କୋଠର ନିଷ୍ପତ୍ତି ନେଲେ ଭାରତ ସରକାର
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୀତିକ ଯୁଦ୍ଧ ଆହୁରି ତୀବ୍ର ହୋଇଛି। ହରଦୀପର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ସମ୍ଭାବ୍ୟ ହାତ ଥିବା କାନାଡା କହିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଛି।
ଏସବୁ ଭିତରେ ଭାରତ ସରକାର ଆଜି ନୂଆ ପଦକ୍ଷେପ ନେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାନାଡାର କୌଣସି ଲୋକ ଭାରତ ଆସିପାରିବେ ନାହିଁ। ଭାରତ ଆସିବା ପାଇଁ ଉପଲବ୍ଧ ହେଉଥିବା ଭିସା ବ୍ୟବସ୍ଥାକୁ ଆଜି ସରକାର ବାତିଲ କରି ଦେଇଛନ୍ତି।
ବିଏଲଏସ୍ ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ଅପରେସନାଲ କାର୍ଯ୍ୟ ପାଇଁ ଭାରତୀୟ ଭିସା ସେବା ପରବର୍ତ୍ତୀ ନୋଟିସ ଯାଏ ବାତିଲ ହୋଇଛି। ବିଏସଏଲ ହେଉଛି ଗୋଟିଏ ଘରୋଇ ସଂସ୍ଥା। ଭିସା ପାଇଁ କାନାଡା ନାଗରିକମାନେ କରୁଥିବା ଆବେଦନର ପ୍ରାଥମିକ ଯାଞ୍ଚ ଏହି ସଂସ୍ଥା କରିଥାଏ। ଏହି ସଂସ୍ଥା ପକ୍ଷରୁ ଆଜି ଭିସା ସେବା ବାତିଲ କରାଯାଇଥିବା କୁହାଯାଇଛି।
ସୋମବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଥିଲେ ଯେ ହରଦୀପ ସିଂହ ନାଜିର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ସମ୍ଭାବ୍ୟ ହାତ ଥିବା ତଥ୍ୟ ମିଳିଛି। ଭାରତ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କାନାଡା ସରକାର ସେଠାରେ ଅବସ୍ଥାପିତ ଜଣେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିଲମ୍ବିତ କରିଥିଲେ।