ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଏବେ ଜୋରଦାର ହୋଇଛି । ନୂତନ ସଂସଦ ଭବନ ଉଦ୍ଘାଟନ କାର୍ୟ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ‘ବିଜେପି’ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି’ ସରକାର ବାରମ୍ବାର ‘ସାମ୍ବିଧାନିକ ସୌଜନ୍ୟ’ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛି ଏବଂ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ‘ନାମମାତ୍ର’ ସ୍ତରକୁ ଖସି ଆସିଲାଣି ବୋଲି ସେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଅଟ୍ଟାଳିକା ଉଦ୍ଘାଟନ କରିବା ଲାଗି ଦିନ ଧାର୍ୟ୍ୟ କରାଯାଇଥିବା କଥା ଲୋକସଭା ସଚିବାଳୟସୂତ୍ରରୁ ପ୍ରକାଶ।
ଟୁଇଟ୍ କରି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, କେବଳ ନିର୍ବାଚନ ପ୍ରତି ଦୃଷ୍ଟି ଦେଇ ମୋଦୀ ସରକାର ଦଳିତ ତଥା ଆଦିବାସୀ ସମ୍ପ୍ରଦାୟରୁ ଭାରତର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ଲାଗି ସୁନିଶ୍ଚିତ କରିଥିବା ପରି ମନେ ହେଉଛି। ସେହିପରି, ପୂର୍ବତନ ରାଷ୍ଟ୍ରପତି କେବିନ୍ଦଙ୍କୁ ମଧ୍ୟ ନୂତନ ସଂସଦ ଭବନ ଶିଳାନ୍ୟାସ କାର୍ୟ୍ୟକ୍ରମକୁ ଆମନ୍ତ୍ରଣ କରାଯାଇ ନ ଥିଲା।