ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଗ୍ରହଣ ସମାରୋହରେ ସାମିଲ ହେବାକୁ ଯାଇ ମାତାଲ ହୋଇ ବିଜେଡି ବିଧାୟକ ଓ ନେତା ହଟ୍ଟହଟ୍ଟା

0

ଭୁବନେଶ୍ୱର(ଆମ ଟିଭି): ରବିବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଘରୋଇ ଅନୁଷ୍ଠାନ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀରେ ଲାଇଫଟାଇମ୍ ଆଚିଭମେଣ୍ଟ  ଆୱାର୍ଡ ପ୍ରଦାନ କରିଛି। ଏହି ଉତ୍ସବରେ ସାମିଲ ହେବାକୁ ଯାଇଥିବା ବିଜେଡି ବିଧାୟକ ଓ ନେତାମାନେ ଦିଲ୍ଲୀ ବିମାନବନ୍ଦର ଲାଉଞ୍ଜରେ ମଦ ପିଇ ମାତାଲ ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ଜଣା ପଡ଼ିଛି । ନେତାମାନଙ୍କୁ ବିମାନରେ ଆଣିବା ପାଇଁ  ବିମାନର ପାଇଲଟଙ୍କ ସହ କିଛି ବିଜେଡି ନେତା ଯୁକ୍ତିତର୍କ କରି ଅପମାନିତ ହେବା ଘଟଣା ଏବେ ଦିଲ୍ଲୀଠୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚାରେ । ସୂଚନା ଅନୁସାରେ, ନବୀନ ପଟ୍ଟନାୟକଙ୍କ ଏହି ପୁରସ୍କାର ଗ୍ରହଣ ସମାରୋହରେ ସାମିଲ ହେବା ତଥା ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଏକଜୁଟ କରି ‘ନାଗରିକ ସମ୍ବର୍ଦ୍ଧନା’ର କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବିଜେଡି ପକ୍ଷରୁ ଦିଲ୍ଲୀରେ ବ୍ୟବସ୍ଥା ହୋଇଥିଲା ।  ଦଳ ପକ୍ଷରୁ ଛାତ୍ର, ଯୁବ ଓ ମହିଳା ସଂଗଠନର କିଛି ପଦାଧିକାରୀଙ୍କୁ ମଧ୍ୟ ଦିଲ୍ଲୀ ନିଆଯାଇଥିଲା ।

ତେବେ ପୁରସ୍କାର ସମାରୋହରେ ସାମିଲ ହୋଇ ରବିବାର ରାତିରେ ଭୁବନେଶ୍ୱର ଫେରିବା ସମୟରେ ନୂଆଦିଲ୍ଲୀ ସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରର ଲାଉଞ୍ଜରେ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କର ୧୨ରୁ ଅଧିକ ସହଯୋଗୀ(ବିଜେଡି ପଦାଧିକାରୀମାନେ) ମଦ ପିଇ ମାତାଲା ହେବା ତଥା ନିର୍ଦ୍ଧାରିତ ବିମାନ (ଇଣ୍ଡିଗୋ-ଏ୩୨୦)ରେ ଫେରିପାରିନଥିବା ଜଣାପଡ଼ିଛି । ଯଦିଓ ସେମାନଙ୍କର ଲଗେଜ୍ ଏହି ବିମାନରେ ଭୁବନେଶ୍ୱର ଆସିଥିଲା, କିନ୍ତୁ ସମ୍ପୃକ୍ତ ନେତାମାନେ ଅତ୍ୟଧିକ ମଦ ପିଇ ନିଜ ନିୟନ୍ତ୍ରଣରେ ନଥିବାରୁ ଉକ୍ତ ବିମାନରେ ‘ବୋର୍ଡିଂ’ ନେଇପାରିନଥିଲେ । ତେବେ ଏହି ମାତାଲ ନେତାମାନଙ୍କୁ ବିମାନରେ ଆଣିବା ନିମନ୍ତେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଅନ୍ୟ କିଛି ଯୁବନେତା ଜିଦ୍ ଧରି ସେହି ଇଣ୍ଡିଗୋ ବିମାନର ପାଇଲଟଙ୍କ ସହ ଯୁକ୍ତିତର୍କ କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.