ଚଳଚ୍ଚିତ୍ର ‘ଦମନ’ ଏକ ବୈପ୍ଳବିକ ଆନ୍ଦୋଳନ, ଯାହା କେବଳ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ

0

ଭୁବନେଶ୍ୱର (ଆମ ଟିଭି): ଅଭିନେତା ବାବୁଶାନ୍ ତାଙ୍କ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଚଳଚ୍ଚିତ୍ର ‘ଦମନ’। କରୋନା କାରଣରୁ ଦୁଇବର୍ଷ ହେଲା ବଡ଼ ବଜେଟ୍ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା। ପରିସ୍ଥିତି ସୁଧୁରିବା ପରେ ଓଡ଼ିଆ ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଉଠିଛି। ଏବେ ମୁକ୍ତିଲାଭ ପାଇଁ ସଜବାଜ ହେଉଛି ଚଳଚ୍ଚିତ୍ର ‘ଦମନ’। ଏଇ ଫିଲ୍ମରେ ବାବୁଶାନ୍ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି। ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି।

ବଡ଼ ବଜେଟ୍ର ଏହି ଫିଲ୍ମରେ ବାବୁଶାନ୍ଙ୍କ ଅଲଗା ଅବତାର ଦେଖିବାକୁ ମିଳିବ। ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ୟ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ଜେପି ୱାର୍ଲଡ୍ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର। ବାସ୍ତବ କାହାଣୀ ଓ ପରିଚିତ ଷ୍ଟାରଙ୍କୁ ନେଇ ନିର୍ମିତ ‘ଦମନ’ ଆଗାମୀ ନଭେମ୍ବର ପ୍ରଥମ ସପ୍ତାହରେ ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ। ସେ କହିଛନ୍ତି ଏ ଚଳଚ୍ଚିତ୍ର ଟି ଟିଭିରେ ନୁହେଁ ଦୀର୍ଘଦିନ ଧରି କେବଳ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ। ଏହାର ମ୍ୟୁଜିକ୍ ପ୍ରସାରଣ ଦାୟିତ୍ୱ ନେଇଛନ୍ତି ଆମର ମ୍ୟୁଜିକ । “ଦମନ” ମୌଳିକ ଓ ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର । ପୁଣି ଥରେ କହିରଖୁଛୁ “ଦମନ” ଦେଖିବାକୁ ଟିଭି ପ୍ରସାରଣ ପାଇଁ ଅପେକ୍ଷା କରିବେନି, ନିକଟସ୍ଥ ପ୍ରେକ୍ଷାଳୟ ରେ ଦେଖିବାକୁ ଭୁଲିବେନି ।

Leave A Reply

Your email address will not be published.