ନୂଆ ସଂସଦ ଭବନ ସ୍ଥାପନ ହେଲା ସିଙ୍ଗୋଲ
ନୂଆଦିଲ୍ଲୀ: ହୋମ-ପୂଜା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ‘ସେଙ୍ଗୋଲ୍’ ସ୍ଥାପନ କରିଛନ୍ତି। ନୂଆ ସଂସଦ ଭବନ ଲୋକାର୍ପଣ ନିମନ୍ତେ ଆୟୋଜିତ ହୋମ ସମ୍ପନ୍ନ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ‘ସେଙ୍ଗୋଲ୍’ ଓ ଅଧୀନମ୍ ମହନ୍ତମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ।
ଏହି ପବିତ୍ର ‘ସେଙ୍ଗୋଲ୍’କୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା କକ୍ଷରେ ଥିବା ବାଚସ୍ପତିଙ୍କ ଆସନର ଦକ୍ଷିଣ ପାର୍ଶ୍ବରେ ସ୍ଥାପନା କରିଛନ୍ତି।
ଏହାପରେ, ଅଧୀନମ୍ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଐତିହାସିକ ‘ସେଙ୍ଗୋଲ୍’ ପ୍ରଦାନ କରିଥିଲେ। ‘ସେଙ୍ଗୋଲ୍’ ଧରି ପ୍ରଧାନମନ୍ତ୍ରୀ ଅଧୀନମ୍ମାନଙ୍କ ଗହଣରେ ନୂଆ ସଂସଦ ଭବନରେ ଥିବା ଲୋକସଭା ପ୍ରକୋଷ୍ଠରେ ପ୍ରବେଶ କରିଥିଲେ। ସାଧୁସନ୍ଥଙ୍କ ଗହଣରେ ପ୍ରଧାନମନ୍ତ୍ରୀ ‘ସେଙ୍ଗୋଲ୍’ ଧରି ଯାଉଥିବା ବେଳେ ‘ନାଦସ୍ବରମ୍’ ବାଦ୍ୟ ବଜା ଯାଇଥିଲା।
ଦୀର୍ଘ ୭ ଦଶନ୍ଧି ଧରି ଏହି ଐତିହାସିକ ‘ସେଙ୍ଗୋଲ୍’ ରଖାଯାଇଥିବା ଆହ୍ଲାବାଦ ସଂଗ୍ରହାଳୟର ଅଧିକାରୀମାନେ କହିଛନ୍ତି, ସେମାନେ ସାଇତି ରଖିଥିବା ଅମୂଲ୍ୟ ସମ୍ପଦ ଜାତୀୟ ରାଜଧାନୀସ୍ଥିତ ନୂଆ ସଂସଦ ଭବନକୁ ଯାଉଥିବାରୁ ସେମାନେ ଓ ପ୍ରୟାଗରାଜବାସୀ ଗୌରବାନ୍ବିତ ହୋଇଛନ୍ତି।