ଭୁବନେଶ୍ୱର (ଆମ ଟିଭି): ରାଜ୍ୟବାସୀଙ୍କ ଘାରିଛି ଡେଙ୍ଗୁ ଭୟ । ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଇତିମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ଶହ ମୁହାଁ ହୋଇଛି। ଗତ ୨୦ ତାରିଖ ସୁଦ୍ଧା ରାଜ୍ୟରେ ୩୬ ହଜାର ୫୦୦ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨ ହଜାର ୪୨୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨ ଦିନ ମଧ୍ୟରେ ୯୦୫ ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ୧୩୨ ଡେଙ୍ଗୁ ପଜିଟିଭ୍ ଆସିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ୍ ୧୨୨୦ ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲାରୁ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲାରେ ୨୧୨, ପୁରୀରେ ୨୨୯, କଟକରେ ୧୫୩, ଜଗତ୍ସିଂହପୁରରେ ୧୧୯ ଓ ନୟାଗଡରେ ୯୩ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାର ଅଧିକାଂଶ ଡେଙ୍ଗୁ ରୋଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରୁ ହୋଇଥିବାରୁ ରାଜଧାନୀରେ ଡେଙ୍ଗୁ ସ୍ଥିତି ଉଦ୍ବେଗଜନକ ରହିଥିବା ଜଣାପଡିଛି। ରିପୋର୍ଟ ଅନୁସାରେ, ଖୋର୍ଦ୍ଧାରୁ ଚିହ୍ନଟ ୧୨୨୦ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୦୫୯ ରହିଛନ୍ତି। ବିଶେଷକରି ନୟାପଲ୍ଲୀ, ଆଚାର୍ୟ୍ୟ ବିହାର, ଜୟଦେବ ବିହାର, ୟୁନିଟ-୯ ଓ ଶହୀଦନଗର ଆଦି ଅଞ୍ଚଳ ହଟ୍ସ୍ପଟ୍ ପାଲଟିଥିବାବେଳେ ଭିଏସ୍ଏସ୍ ନଗର, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର ଆଦି ବିଭିନ୍ନ ଅଞ୍ଚଳରୁ ଡେଙ୍ଗୁ ରୋଗୀ ବାହାରୁଛନ୍ତି। ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୧୦୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଚାର୍ୟ୍ୟ ବିହାରରୁ ୯୯, ଜୟଦେବ ବିହାରରୁ ୬୪, ୟୁନିଟ -୯ରୁ ୫୬, ଶହୀଦନଗର ଅଞ୍ଚଳରୁ ୫୩ଜଣ ଡେଙ୍ଗୁରେ ଆକ୍ରନ୍ତ ହୋଇଛନ୍ତି।