ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ଟିମ୍‌, ଉପହାର ଦେଲେ ମହାପ୍ରସାଦ ସହ ଓଡ଼ିଆ କଳାକୃତି

0

ନୂଆଦିଲ୍ଲୀ(ଆମ ଟିଭି) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ଓଡ଼ିଶା ବିଧାୟକ। ଆଜି ରାଇସିନା ହିଲରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ୨୪ ଜଣିଆ ବିଧାୟକ ଟିମ୍‌। ଓଡ଼ିଶା ବିଧାନସଭା ପକ୍ଷରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ଏହି ବିଧାୟକମାନେ ଗତକାଲି ନୂଆଦିଲ୍ଲୀ ଗସ୍ତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ବିଜେଡି ଓ କଂଗ୍ରେସ ବିଧାୟକ- ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତରେ କରିଥିଲେ। ତେବେ ଆଜିର ସାକ୍ଷାତରେ ବିଧାୟକମାନେ ବେଶ୍‌ କିଛିସମୟ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ସମସ୍ତେ ଖୁସିରେ ବିଭୋର ହୋଇଛନ୍ତି। ତେବେ ଆସନ୍ତାକାଲି ବିଧାୟକମାନେ ଭୁବନେଶ୍ବର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଆ ପରମ୍ପରା ଅନୁଯାୟୀ ସାଧାରଣତ କେହି ପ୍ରିୟ-ପରିଜନଙ୍କ ଘରକୁ ଗଲେ ସାଥିରେ କିଛି କିଛି ଉପହାର ନେଇଥାଆନ୍ତି। ଏହି କ୍ରମରେ ରାଷ୍ଟ୍ରପତିଙ୍କୁ ବିଧାନସଭା ଓ ବିଧାୟକଙ୍କ ତରଫରୁ ମହାପ୍ରସାଦ ସହ ଓଡ଼ିଆ କଳାକୃତି ଉପହାର ଦିଆଯାଇଛି। କଂଗ୍ରେସ ବିଧାୟକ ତାରାବାହିନୀପତି କୋଟପାଡ଼ର ପ୍ରସିଦ୍ଧ ଶାଢ଼ୀ ଉପହାର ଦେଇଥିବା ବେଳେ ପ୍ରମିଳା ମଲ୍ଲିକ ବି ଶାଢ଼ୀ ଉପହାର ଦେଇଛନ୍ତି। ସେହିପରି ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କବିତା ଲେଖି ସେହି ସଙ୍କଳନକୁ ଫ୍ରେମ୍ କରି ରାଷ୍ଟ୍ରପତିଙ୍କୁ ଭେଟି ଦେଇଛନ୍ତି।

Leave A Reply

Your email address will not be published.