ନୂଆଦିଲ୍ଲୀ (ଆମ ଟିଭି): ରାହୁଲଙ୍କ ସଭ୍ୟପଦ ରଦ୍ଦ ପରେ ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ଭିତରେ ଏହାକୁ ନେଇ ଏକାଠି ହୋଇଛନ୍ତି ବିରୋଧୀ । ଏହାକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପି ମୋଦୀ ସରକାର ବିରୋଧରେ ପ୍ରତିବାଦ କରୁଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ଅଧିକାଂଶ ବିରୋଧୀ ଦଳ । ଏପରିକି କଂଗ୍ରେସ ସର୍ବଦା ବିରୋଧ କରି ଆସୁଥିବା ମମତା ବାନାର୍ଜୀଙ୍କ ଟିଏମସି ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ ଦେଇଛି ।
କଂଗ୍ରେସ ସାଂସଦମାନେ ଆଜି ସଂସଦକୁ କଳା ପୋଷାକ ପିନ୍ଧି ଆସିଥିବା ଦେଖିବାକୁ ମିଳିଛି । ଅଲଗା ପ୍ରସଙ୍ଗରେ ବିରୋଧୀଙ୍କ ଭିନ୍ନ ମତ ଥିଲେ ବି ଏହି ପ୍ରସଙ୍ଗରେ ସବୁ ବିରୋଧୀ ଏକାଠୀ ଥିବା କହିଛି କଂଗ୍ରେସ । କଂଗ୍ରେସ, ଡିଏମକେ, ଜେଡିୟୁ, ବିଆରଏସ, ସିପିଏମ, ଆରଜେଡି, ଟିଏମସି, ଆପ୍, ଶିବସେନା(ୟୁବିଟି) ଆରଏସପି, ଏନସିପି, ସିପିଆଇ ସମେତ ୧୭ ବିରୋଧ ଦଳ ନେତା ଏକାଠି ହୋଇ ବୈଠକ କରିଛନ୍ତି । ସେପଟେ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ରାଜ୍ୟସଭାକୁ ୨ଟା ପର୍ୟ୍ୟନ୍ତ ଓ ଲୋକସଭାକୁ ୪ଟା ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି ।