ଅଟକାଇ ପାରିଲେ ନାହିଁ ବିରୋଧୀ,ପାରିତ ହେଲା ଦିଲ୍ଲୀ ବିଲ୍
ପ୍ରବଳ ହଟ୍ଟଗୋଳ ଓ ନାରାବାଜୀ ମଧ୍ୟରେ ଆଜି ଲୋକସଭାରେ ପାରିତ ହୋଇଛି ଦିଲ୍ଲୀ ବିଲ୍। ରାଜଧାନୀ ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ କେନ୍ଦ୍ର ସରକାର ନିଜର ନିୟନ୍ତ୍ରଣ ରଖିବା ପାଇଁ National Capital Territory of Delhi (Amendment) Bill, ୨୦୨୩ ଲୋକସଭାରେ ଆଗତ କରିଥିଲେ
ଏହି ବିଲ୍ ଉପରେ ୪ ଘଣ୍ଟା କାଳ ବିତର୍କ ହୋଇଥିଲା। ଶେଷରେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିଲେ। ସେ ବିରୋଧୀ ବିଶେଷ କରି ଦିଲ୍ଲୀର କ୍ଷମତାସୀନ ଆପ୍କୁ ସମାଲୋଚନା କରିଥିଲେ। ଏହାପରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଛି। ଏହାକୁ ବିରୋଧ କରି ବିରୋଧୀ ଦଳର ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ।
ପ୍ରଶାସନିକ ସେବାର ଅଧିକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେଇଥିଲେ। ଏବେ ଉକ୍ତ ଅଧ୍ୟାଦେଶ ବଦଳରେ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ୍ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩ ଆଣିଥିଲେ।
ଏହି ବିଲ୍ ଗୃହରେ ଉପସ୍ଥାପନ ହେବା ଦିନ ଠାରୁ ବିରୋଧୀ ଏହାକୁ ଅସାମ୍ବିଧାନିକ କହିଥିଲେ। ଗୋଟିଏ ନିର୍ବାଚିତ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଏହି ବିଲ୍ ଅଣାଯାଇଥିବା ସେମାନେ ମତ ରଖିଥିଲେ।