ଭୁବନେଶ୍ୱର (ଆମ ଟିଭି): ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ ଦେବା । ବିଜେଡିରୁ ବିଦା ହୋଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । କେବଳ ସୌମ୍ୟ ନୁହଁନ୍ତି, ରେମୁଣା ବିଧାୟକଙ୍କୁ ବି ଜନବିରୋଧୀ ବୋଲି ଦର୍ଶାଇ ଦଳରୁ ବହିଷ୍କାର କରିଛନ୍ତି ନବୀନ । ତେବେ ଏହି ବହିଷ୍କାର ନିଷ୍ପତ୍ତି ପରେ ବୟାନ ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏଭଳି ବହିଷ୍କାର ନିଷ୍ପତ୍ତି ନିନ୍ଦନୀୟ ବୋଲି କହିଛନ୍ତି ଜୟନାରାୟଣ । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ବୋଲି ସେ କହିଛନ୍ତି । ଏଭଳି କରି ବିଧାୟକଙ୍କ ମତକୁ ଚାପିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଜୟନାରାୟଣ । ସେହିଭଳି ସୌମ୍ୟଙ୍କ ବିରୋଧର କାର୍ୟ୍ୟାନୁଷ୍ଠାନକୁ ଅଗଣତାନ୍ତ୍ରିକ ବୋଲି ସେ କହିଛନ୍ତି ।
ସେହିଭଳି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ବିଜେଡି ଏମିତି ଏକ ଦଳ ଯେଉଁଠି କେହି ପ୍ରଶ୍ନ କରି ପାରିବେନି । ଓଡ଼ିଶାବାସୀ ଏହାକୁ କେମିତି ହଜମ କରି ଶାସନ କ୍ଷମତାରେ ରଖିଛନ୍ତି ତାହା ଭାବିଲେ ଆଶ୍ଚର୍ୟ୍ୟ ଲାଗେ । ବିଜେଡି କଣ ତାହା ଆମେ ଦେଖିଛୁ ଓ ଅଙ୍ଗେ ନିଭାଇଛୁ । ସମୟ ଆସିଛି ଓଡ଼ିଶାବାସୀ ଗଣତନ୍ତ୍ରର ସୁରକ୍ଷା ଓ ରାଜନୈତିକ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଊଚିତ୍ ନିଷ୍ପତ୍ତି ନେବେ ।