ନୂଆଦିଲ୍ଲୀ (ଆମ ଟିଭି): ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍ଗୀନ। ବିଷାକ୍ତ ବାୟୁ କବଳରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ। ଲଗାତର ଭାବେ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନକୁ ଚାଲିଯିବା ପରେ ରାଜଧାନୀରେ ବହୁ କଟକଣା ଲାଗୁ କରାଯାଇଛି। ମାତ୍ର ନିୟମ ଉଲ୍ଲଘଂନ ଅଭିଯୋଗରେ ୨୨୦୦ ଗାଡ଼ି ଉପରେ ପଡ଼ିଛି ଫାଇନ୍।ଜରୁରୀ ସାମଗ୍ରୀ କାଟାଗୋରିରେ ଯାଉ ନ ଥିବା ଜିନିଷ ପରିବହନ କରୁଥିବା ପୁରୁଣା ଡିଜେଲ,ପେଟ୍ରୋଲ ବାଇକ୍ ଓ ଟ୍ରକ୍ ଉପରେ ଚାଲାଣ କଟିଛି। ପ୍ରଦୂଷଣ ମାତ୍ରା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଭିନ୍ନ ଭିନ୍ନ ପଦକ୍ଷେପ ଉଠାଯାଉଛି।
ଦିଲ୍ଲୀ ପୁଲିସ୍ ସୂଚନା ଅନୁଯାୟୀ,କେବଳ ଆବଶ୍ୟକ ସେବାରେ ସମ୍ପୃକ୍ତ ଲୋକଙ୍କୁ ଯାତାୟତ ଅନୁମତି ଦିଆଯାଇଛି। ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ଆଦେଶ ଅନୁଯାୟୀ,ସବୁ ପ୍ରକାର ମଧ୍ୟମ ଓ ଭାରୀ ଯାନବାହନର ଚଳାଚଳ ଉପରେ ରୋକ ଲଗାଇ ଦିଆଯାଇଛି। ଗତ ୧୩ ତାରିଖରୁ ଦିଲ୍ଲୀରେ ଅଡ୍- ଇଭିନ ନମ୍ବର ଲାଗୁ ହୋଇଛି।