୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ପୁରୀ (ଆମ ଟିଭି): ଆସନ୍ତା ୪ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ଛତିଶା ନିଯୋଗର ବୈଠକ ହୋଇଯାଇଛି। ୪ରେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କାର୍ଯ୍ୟକ୍ରମ ଥିବାରୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ଯେଭଳି ସୂଚାରୁରୂପେ ହେବ ସେନେଇ ଛତିଶା ନିଯୋଗର ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ।

ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଅନୁଯାୟୀ ଡିସେମ୍ବର ୪ ତାରିଖ ସକାଳ ୧୦ ଟା ୧୫ ରୁ ୧୦ ଟା ୪୦ ମଧ୍ୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଣୁ ପ୍ରାତଃ ୫ଟାରୁ ଦ୍ବାରଫିଟା ନୀତି ହେବ। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସକାଳ ୮ଟା ୪୫ ସୁଦ୍ଧା ଶ୍ରୀମନ୍ଦିରକୁ ଶୋଧ ସହ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ। ରାଷ୍ଟ୍ରପତି ଦର୍ଶନ ସାରି ଫେରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ନିଯୋଗର ବରିଷ୍ଠ ସେବାୟତ କହିଛନ୍ତି। ଅନ୍ୟପକ୍ଷରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବା ସହ କେତେ ଦିନ ଏବଂ କେତେ ସମୟ ଧରି କାର୍ଯ୍ୟ ଚାଲିବ, ସେନେଇ ଏକ ଖସଡ଼ା ପ୍ରସ୍ତୁତ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଏବଂ କମାଣ୍ଡରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।

Leave A Reply

Your email address will not be published.