ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିଦାକଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କାହିଁକି ଜାଣନ୍ତୁ

0

ନୂଆଦିଲ୍ଲୀ :ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ଦେଶର ପ୍ରତିରକ୍ଷା ମନ୍ତ୍ରୀ ୟୋଭା ଗାଲାଣ୍ଟଙ୍କୁ ବିଦା କରିଛନ୍ତି। ସରକାର ଆଣିଥିବା ବିବାଦୀୟ ନ୍ୟାୟିକ ସଂସ୍କାର ବ୍ୟବସ୍ଥାକୁ ଦେଶର ସୁରକ୍ଷା ଦୃଷ୍ଟିରୁ ଗାଲାଣ୍ଟ ବିରୋଧ କରୁଥିଲେ। ଏଥିସହ ସଂସ୍କାର ଉପରେ କିଛି ଦିନ ପାଇଁ ରୋକ ଲଗାଇବାକୁ ମଧ୍ୟ ସେ କହିଥିଲେ। ତାଙ୍କର ଏପରି ବୟାନ ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ନ୍ୟାୟିକ ସଂସ୍କାର ବ୍ୟବସ୍ଥାକୁ ବିରୋଧ କରି ତେଲ ଅଭିଭରେ ୨ ଲକ୍ଷରୁ ଅଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିକ୍ଷୋଭ ଓ ଲୋକଙ୍କ ଆକ୍ରୋଶକୁ ଦେଖି ଗାଲାଣ୍ଟ ଶନିବାର କହିଥିଲେ ଯେ “ଆମକୁ ଯେମିତି ହେଲେ ଏହି ଅଧ୍ୟାଦେଶକୁ ମାସକ ଯାଏ ବନ୍ଦ କରିବାକୁ ପଡ଼ିବ। କାରଣ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଉଛି।”

ନ୍ୟାୟପାଳିକା ଉପରେ ରାଜନେତାଙ୍କ ନିୟନ୍ତ୍ରଣ ଅଧିକ ରହିବ ଓ ସୁପ୍ରିମକୋର୍ଟଙ୍କ ଭୂମିକା କମ ହେବ ବୋଲି ସଂସ୍କାରରେ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଇସ୍ରାଏଲର ଘନିଷ୍ଠ ସହଯୋଗୀ ଆମେରିକା ମଧ୍ୟ ଏହି ସଂସ୍କାର ନୀତିକୁ ବିରୋଧ କରୁଛି। ଇସ୍ରାଏଲବାସୀ ବାରମ୍ବାର ଏହା ବିରୋଧରେ ବିକ୍ଷୋଭ କରୁଛନ୍ତି।

ଏସବୁ ଭିତରେ ଗାଲାଣ୍ଟ କହିଥିଲେ, “ବଢ଼ୁଥିବା ସାମାଜିକ ବିବାଦ ଦେଶର ଆର୍ମି ଓ ସୁରକ୍ଷା ଏଜେନ୍ସି ଭିତରେ ମଧ୍ୟ ପ୍ରବେଶ କରୁଛି। ଏହା ଇସ୍ରାଏଲର ସୁରକ୍ଷା ପାଇଁ ଗୋଟିଏ ସ୍ପଷ୍ଟ, ଜରୁରୀ ଓ ଅକାଟ୍ୟ ବିପଦ। ମୁଁ ମୋ ଦଳ ଲିକୁଡ ପାର୍ଟିର ମୂଲ୍ୟବୋଧ ପ୍ରତି ପ୍ରତିଶ୍ରୁତିବଦ୍ଧ। ଏଥିସହ ଇସ୍ରାଏଲକୁ ସବୁବେଳେ ସବୁଠାରୁ ଉପରେ ରଖିଥାଏ। କିନ୍ତୁ ଜାତୀୟସ୍ତରରେ ହେଉଥିବା ପରିବର୍ତ୍ତନ ପାଇଁ ଉପଯୁକ୍ତି ଆଲୋଚନା ଓ ବିଚାରବିମର୍ଶ ଆବଶ୍ୟକ।” ସେ ଆନ୍ଦୋଳନ ବନ୍ଦ କରିବାକୁ ମଧ୍ୟ କହିଥିଲେ।

ବିଶେଷଜ୍ଞ ମତରେ ନୂଆ ସଂସ୍କାର ଇସ୍ରାଏଲ ଗଣତନ୍ତ୍ର ପାଇଁ ବିପଦ। କିନ୍ତୁ ସରକାରଙ୍କ ଯୁକ୍ତି ହେଲା ଆଇନପ୍ରଣୟନକାରୀ ଓ ନ୍ୟାୟପାଳିକା ମଧ୍ୟରେ କ୍ଷମତାକୁ ସମାନ ରଖିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି।

ବିକ୍ଷୋଭ ଓ ବିରୋଧ ପାଇଁ ବ୍ୟାକଫୁଟରେ ଥିବା ଇସ୍ରାଏଲ ସରକାରଙ୍କୁ ଶନିବାର ଗାଲାଣ୍ଟଙ୍କ ବୟାନ ଆହୁରି ଅଡ଼ୁଆରେ ପକାଇଥିଲା। ଏଥିପାଇଁ ନେତାନ୍ୟାହୁ ରବିବାର ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ବିଦା କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିବୃତି ଜାରି କରାଯାଇଛି। ମନ୍ତ୍ରୀ ପଦ ଯିବା ପରେ ଗାଲାଣ୍ଟ କହିଛନ୍ତି, “ଇସ୍ରାଏଲର ସୁରକ୍ଷା ସୁବବେଳେ ମୋ ଜୀବର ମିଶନ ହୋଇ ରହିବ।”

Leave A Reply

Your email address will not be published.