ବିଜେପିରେ ସାମିଲ ହେଲେ ବିଦ୍ରୋହୀ କଂଗ୍ରେସ ବିଧାୟକ
ଦଳ ବଦଳ ନିରୋଧ ଆଇନ ଅନୁସାରେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସର ୬ ଜଣ ପୂର୍ବତନ ବିଧାୟକ ଆଜି ବିଜେପିରେ ମିଶିଛନ୍ତି। ସେମାନଙ୍କ ସହିତ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିରେ ମିଶିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଓ ରାଜ୍ୟ ସଭାପତି ରାଜୀବ ବିନ୍ଦଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିବା କଂଗ୍ରେସର ୬ ପୂର୍ବତନ ବିଧାୟକ ହେଉଛନ୍ତି- ସୁଧୀର ଶର୍ମା, ରବି ଠାକୁର, ରାଜିନ୍ଦର ରାଣା, ଇନ୍ଦର ଦତ୍ତ ଲଖନପାଲ, ଚୈତନ୍ୟ ଶର୍ମା ଓ ଦେବୀନ୍ଦର କୁମାର ଭୁଟ୍ଟୋ।
କଂଗ୍ରେସର ଏହି ୬ ପୂର୍ବତନ ବିଧାୟକ ଗତ ରାଜ୍ୟସଭା ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ। ତେବେ ରାଜ୍ୟସଭା ନିର୍ବାଚନରେ କ୍ରସ-ଭୋଟିଂ ପାଇଁ ସେମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରି ନଥିଲେ। ବିଧାନସଭାରେ ଫାଇନାନ୍ସ ବିଲ୍ ଆଗତ ବେଳେ ଉପସ୍ଥିତ ରହି ଏହା ସପକ୍ଷରେ ଭୋଟ ଦେବାକୁ ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଥିଲେ ହେଁ ସେମାନେ ଅନୁପସ୍ଥିତ ରହିଥିଲେ। ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ହର୍ଷବର୍ଦ୍ଧନ ଚୌହ୍ୱାନ ବାଚସ୍ପତି କୁଲଦୀପ ସିଂହ ପଠାନିୟାଙ୍କ ନିକଟରେ ଆବେଦନ କରିଥିଲେ। ତା’ପରେ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।