ବଦଳିବ ନନ୍ଦନକାନନର ରୂପରେଖ
ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ କରାଯିବ। ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହାକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାଣୀ ଉଦ୍ୟାନ ନିକଟରେ ଥିବା ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳ ଏଥିରେ ସାମିଲ ହେବ। ନନ୍ଦନକାନନର ରୂପାନ୍ତର ପାଇଁ ବନ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏକ ଉପସ୍ଥାପନା ରଖାଯାଇଥିଲା। ଯେଉଁଥିରେ ନନ୍ଦନକାନନ କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହ ନନ୍ଦନକାନନରେ ପ୍ଲାଷ୍ଟିକର ବ୍ୟବହାର ସଂପୂର୍ଣ୍ଣ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି।
ନୂତନ ଯୋଜନାରେ ପରିଦର୍ଶକଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ବଗିଚା ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ବାରିୟମ୍, ୱାଟର ବାର୍ଡ ଆଭିଆରି, ଦେଶ ବିଦେଶରୁ ନୂତନ ପ୍ରାଣୀ, ଇମର୍ସିଭ୍ ଏନକ୍ଲୋଜର ଓ ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ବତନ୍ତ୍ର ହବ୍ ଭାବେ ବିକାଶ କରିବା ପାଇଁ ବ୍ୟବସ୍ଥା ରହିଛି। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୨୦୨୩ରୁ ୨୦୨୫ ଓ ଦ୍ବିତୀୟ ପର୍ଯ୍ୟାୟରେ ୨୦୨୫ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନର ବିକାଶ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ। ଏଥିରେ ରାତ୍ରି ସଫାରି ଓ ସଫାରି କଂପ୍ଲେକ୍ସର ବିକାଶ କରାଯିବ।