ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ପୁଣି ଗର୍ଜିଲା ଛାତ୍ର କଂଗ୍ରେସ

0

ଭୁବନେଶ୍ୱର :ନବ ଦାସ ହତ୍ୟା ମାମଲାରେ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଆଜି ଗର୍ଜିଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ କର୍ମୀମାନେ ସୁଶାନ୍ତଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରାଉ କରିବା ସହିତ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି। ନବ ଦାସଙ୍କ ସହିତ ସୁଶାନ୍ତ ସିଂଙ୍କର ଶତ୍ରୁତା ରହିଥିଲେ ସୁଦ୍ଧା ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ।

ନବ ଦାସଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ପୁଲିସ୍‌ କେବଳ ଗୋପାଳ ଦାସଙ୍କୁ ଗିରଫ କରି ବସି ରହିଛି। ପୁଲିସ୍ ଏହା ପଛର କାରଣ ଜାଣିବାକୁ ତତ୍ପରତା ପ୍ରକାଶ କରୁନି ବୋଲି କହିଛି ଛାତ୍ର କଂଗ୍ରେସ ।

ଉଭୟ ନବ ଦାସ ଓ ସୁଶାନ୍ତ ସିଂ ପଶ୍ଚିମ ଓଡ଼ିଶାର ବାହୁବଳୀ ନେତା। ଉଭୟଙ୍କ ମଧ୍ୟରେ ବ୍ୟବସାୟିକ ଶତ୍ରୁତା ଥିଲା। ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠି ସାରିଥିବା ବେଳେ ଗଣମାଧ୍ୟମରେ ବି ଚର୍ଚ୍ଚା ହେଉଛି। ଏହା ସତ୍ତ୍ୱେ ପୁଲିସ୍‌ କାହିଁକି ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ସୁଶାନ୍ତଙ୍କ ମୋବାଇଲ ଜବତ କରି ତଦନ୍ତ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ।

ଆଜି ଛାତ୍ର କଂଗ୍ରେସ କର୍ମୀମାନେ ସୁଶାନ୍ତଙ୍କ ବାସଭବନ ଘେରାଉ କରିବା ସହିତ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ସେମାନେ ସୁଶାନ୍ତଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ପୁଲିସ୍ କର୍ମଚାରୀମାନେ ସେମାନଙ୍କୁ ବାଧା ଦେଇଥିଲେ। ଫଳରେ ମୁହାଁମୁହିଁ ସ୍ଥିତି ଉତ୍ପନ୍ନ ହୋଇ‌ଥିଲା। ପରେ କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଗାଡ଼ିରେ ଭର୍ତ୍ତି କରି ସେଠାରୁ ନେଇ ଯାଇଥିଲା।

Leave A Reply

Your email address will not be published.