କେନ୍ଦ୍ର, ମଣିପୁର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଏବଂ ମଣିପୁର ସରକାର ଉପରେ ବର୍ଷିଛନ୍ତି। ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ପରେଡ୍ କରାଯିବା ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ପୁଲିସ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ଅଭିଯୋଗ ମିଳିବାର ୧୪ ଦିନ କାଳ ପୁଲିସ କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି। ଘଟଣା ମେ’ ୪ ତାରିଖରେ ଘଟିଥିବା ବେଳେ ପୁଲିସ ମେ’ ୧୮ ତାରିଖରେ ଏଫଆଇଆର ରୁଜୁ କରିଥିଲା। ଭିଡିଓ ଭାଇରାଲ ହେବା ପର୍ଯ୍ୟନ୍ତ ପୁଲିସ କଣ କରୁଥିଲା। ଉଭୟ କେନ୍ଦ୍ର ଏବଂ ମଣିପୁର ସରକାରଙ୍କୁ ୬ଟି ପ୍ରଶ୍ନ ପଚାରିବା ସହିତ ୨୪ ଘଣ୍ଟା ମଧ୍ୟରେ ଏସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦେଶ ଦେଇଛନ୍ତି।

ପଶ୍ଚିମ ବଙ୍ଗ, ଛତିଶଗଡ଼, ରାଜସ୍ଥାନ ଭଳି ରାଜ୍ୟରେ ମଧ୍ୟ ଏଭଳି ଦୁଷ୍କର୍ମ ଘଟୁଛି ବୋଲି ଜଣେ ଓକିଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପ୍ରଧାନ ବିଚାରପତି ଭୀଷଣ ବିରକ୍ତି ପ୍ରକାଶ କରି କହିଥିଲେ ଯେ ମଣିପୁରରେ ‌େଯଉଁ ଘଟଣା ଘଟିଛି ତାହା ଅଭୂତପୂର୍ବ। ଏହାକୁ ଅନ୍ୟ ମାମଲା ସହିତ ତୁଳନା କରାଯାଇପାରିବ ନାହିଁ। ମଣିପୁର ମାମଲାର ଗୁରୁତ୍ବ ଦୃଷ୍ଟିରୁ ଏହାର ସେହି ହିସାବରେ ବିଚାର କରାଯିବାର ଆବଶ୍ୟକତା ରହିଛି। ମଣିପୁରରେ ହିଂସା ଆରମ୍ଭ ହେବା ଦିନ ଠାରୁ ୬ ହଜାର ମାମଲା ରୁଜୁ ହୋଇଛି। ତେବେ ଏଥିରେ କେତେ ମାମଲା ନାରୀ ହିଂସା ସହ ସଂପୃକ୍ତ, ସେ ସଂପର୍କରେ ସରକାରଙ୍କ ପାଖରେ ରିପୋର୍ଟ ନଥିବାରୁ କୋର୍ଟ ଉଦ୍‌ବେଗ ପ୍ରକାଶ କରି ଏଫଆଇଆର ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଉକ୍ତ ଘଟଣାର ତଦନ୍ତ ସହିତ ହିଂସାରେ ବିସ୍ଥାପିତ ହୋଇଥିବା ବ୍ୟକ୍ତିଙ୍କ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହାର ବିସ୍ତୃତ ରିପୋର୍ଟ ମାଗିଛନ୍ତି। କୋର୍ଟ ଯେଉଁ ୬ଟି ପ୍ରଶ୍ନ କରିଛନ୍ତି ସେଥିରେ ରହିଛି: ମଣିପୁରରେ ହିଂସା ସଂକ୍ରାନ୍ତରେ ମୋଟ କେତେ ଏଫ୍‌ଆଇଆର ରୁଜୁ ହୋଇଛି। କି କି ପ୍ରକାରର ଏଫ୍‌ଆଇଆର ରୁଜୁ ହୋଇଛି। ଜିରୋ ଏଫ୍‌ଆଇଆର ମାମଲା କେତେ। ସେକସନ ୧୬୪ରେ କେତେ ଜଣଙ୍କ ବୟାନ ରେକର୍ଡ କରାଯାଇଛି। କେଉଁ ଥାନାକୁ କେତେ ମାମଲା ହସ୍ତ‌‌ାନ୍ତର ହୋଇଛି। ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଲାଗି ଆଇନଗତ ସହାୟତା ପ୍ରଦାନ ସ୍ଥିତି କ’ଣ? ଏସଂକ୍ରାନ୍ତ ୨୪ ଘଣ୍ଟା ଭିତରେ ରିପୋର୍ଟ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି

Leave A Reply

Your email address will not be published.