ନୂଆଦିଲ୍ଲୀ (ଆମ ଟିଭି): ଉତ୍ତରପ୍ରଦେଶରୁ ଏକ ବଡ଼ ଦୁଃଖଦ ଖବର ଆସି ପହଞ୍ଚୁଛି । ଆଉ ନାହାନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବ। ମେଦାନ୍ତ ହସ୍ପିଟାଲରେ ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଟ୍ୱିଟ୍ କରି ତାଙ୍କ ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି । ଅସୁସ୍ଥତା ପାଇଁ ତାଙ୍କୁ ଅଗଷ୍ଟ ୨୨ରେ ମେଦାନ୍ତରେ ଭର୍ତ୍ତି କରାଯାଇଥିଲା । ଅକ୍ଟୋବର ୨ ତାରିଖରେ ଆଇସିୟୁକୁ ସ୍ଥାନାନ୍ତରିତ ହୋଇଥିଲେ । ମୁଲାୟମ ସିଂ ଯାଦବଙ୍କୁ ୟୁରିନ୍ ସଂକ୍ରମଣ, ବ୍ଲଡ ପ୍ରେସରର ସମସ୍ୟା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା, ଯାହାଫଳରେ ତାଙ୍କୁ ମେଦାନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଥିଲା ।
ତେବେ ମୁଲାୟମ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୭ ଥର ସଂସଦକୁ ନିର୍ବାଚିତ ହେବା ସହ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାମ କରିଥିଲେ । ୟୁପିରୁ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଆଜି ସକାଳ ୮ଟା ୧୬ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁଲାୟମଙ୍କ ମୃତ୍ୟୁକୁ ନେଇ ଅନେକ ବରିଷ୍ଠ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଦେହାନ୍ତ ପାଇଁ ୟୁପିରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।