୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା
ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହେବା ସହ ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।
ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ, ଆସନ୍ତାକାଲି (ଏପ୍ରିଲ ୧୬ ତାରିଖ) ରାଜ୍ୟର ୩୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିବ। ଭୁବନେଶ୍ୱର, କଟକ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ। ମାଲକାନଗିରି, ପାରଳାଖେମୁଣ୍ଡି, ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ରାଉରକେଲା, ବାରିପଦା ଓ ନୟାଗଡ଼ ଆଦି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ରହିପାରେ। ସେହିପରି ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝରଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧାରେ ତାପମାତ୍ରା ୪୧ ଡିଗ୍ରୀ ରହିପାରେ। ନବରଙ୍ଗପୁର, ସୋନପୁର, ବରଗଡ଼, ଫୁଲବାଣୀ, ଢେଙ୍କାନାଳ ଓ ଚାନ୍ଦବାଲିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ।