ପଖାଳର ପରମ୍ପରା: କେମିତି ଆରମ୍ଭ ହେଲା ବିଶ୍ୱ ପଖାଳ ଦିବସ ?

0

ପଖାଳ କଂସା ତା ପାଖରେ ରହିଥିବ ଶାଗ ଭଜାକୁ ଆଳୁ ସିଝା ଓ ଶୁଖୁଆ ଭଜା । ଲୋଡା ନାହିଁ ଆଉ ଛଅ ତରକାରୀ ନଅ ତିଅଣ… ପଖାଳ ଗଣ୍ଡେ ହେଲେ ଓଡ଼ିଆଙ୍କ ଖୁସି କାହିଁରେ କଣ । ଓଡ଼ିଆ ବୋଲି ପଖାଳ ଥାଏ ଆତ୍ମରେ ମନରେ ପ୍ରାଣରେ।ଓଡ଼ିଶାରେ ‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ ଏକ ଆବେଗ।ଓଡ଼ିଆ ଜାତିର ସ୍ୱାଦ, ଓଡ଼ିଆଙ୍କ ପରିଚୟ, ଓଡ଼ିଆଙ୍କ ପ୍ରାଣ, ଷାଠିଏ ପଉଟିର ଅଂଶ ପଖାଳ । ସଞ୍ଜ ହେଉ କି ସକାଳ ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଡହ ଡହ ଖରାରେ ପେଟକୁ ବାସି ତୋରାଣି ଗଲେ ହୁଏ ଆତ୍ମା ଶାନ୍ତ । ଚାଷୀ ଭାଇ କୁହେ ପଖାଳ କହିଲେ ଶକ୍ତି ଆସେ, ଅଳସୁଆ କହେ ପଖାଳ ଖାଇଲେ ନିଦ ଆସେ । ଅହଂକାରୀ କହେ ପଖାଳ ଗରିବଙ୍କ ଖାଦ୍ୟ ମଧ୍ୟରେ ଆସେ କିନ୍ତୁ ଡାକ୍ତର କୁହନ୍ତି ବାସି ପଖାଳରୁ ପୋଷଣ ସହ ମିଳେ ଅନେକ ଔଷଧୀୟ ଗୁଣ। ତେବେ କଣ ରହିଛି ପଖାଳ ଦିବସର ଇତିହାସ… ଆସନ୍ତୁ ଜାଣିବା…

ପଖାଳ ଶଦ୍ଦଟି ‘ପାଲି’ ଭାଷାର ‘ପଖାଳିବା’ ଶଦ୍ଦରୁ ଆଦୃତ। ଯାହାର ଅର୍ଥ ହେଉଛି ଧୋଇବା। ସଂସ୍କୃତରେ ମଧ୍ୟ ଏହି ଭାଷାର ସାମଞ୍ଜସ୍ୟ ଦେଖିବାକୁ ମିଳେ । ତେବେ ମୋଟ ଉପରେ କହିବାକୁ ଗଲେ ପଖାଳର ଅର୍ଥ ଭାତକୁ ଧୋଇ ସୁସଞ୍ଜିତ କରିବା । ବୈଜ୍ଞାନିକ ପ୍ରମାଣ ଏହାକୁ ସ୍ପଷ୍ଟ କରିଛି ଯେ, ଭାତରେ ପାଣି ପକାଇ ରଖିଲେ ତାହା ଅଧିକ ସମୟ ଧରି ତିଷ୍ଟି ରହେ। ଏହାର ମାଧୁର୍ଯ୍ୟ ବଢିଯାଏ । କାରଣ ସେଥିରେ ଅମ୍ଳିୟ ଗୁଣ ବୃଦ୍ଧି ପାଇଥାଏ ।ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଜଗନ୍ନାଥ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଚନ୍ଦନଯାତ୍ରା ସମୟରେ ଦହି ପଖାଳ ମଣୋହି କରି ମଦନମୋହନ ରୂପେ ଚାପ ଖେଳିବା ପାଇଁ ବାହାରନ୍ତି । ପ୍ରତିଦିନ ଶ୍ରୀମନ୍ଦିର ପରିସରରେ ଟଙ୍କ ତୋରାଣି ମିଳିଥାଏ । ଯାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।

କାହିଁକି ପଖାଳ ଦିବସ ? କିଏ କରିଥିଲେ ଆରମ୍ଭ ?

ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ ୨୦୦୯ ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କୁ ସହ ଏହି ବିପ୍ଳବ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ ତାରିଖରେ ବିପ୍ଳବକୁ ସଫଳତା ମିଳିଥିଲା । ପଖାଳ ସହ ସେଲ୍ଫି ସୋସିଆଲ ମିଡିଆରେ ବେଶ ପପୁଲାର ହୋଇଥିଲା । ସେମାନଙ୍କର ପୋଷ୍ଟ କୁ ଦେଖି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଶିଳ୍ପ ମଧ୍ୟରେ ଏହାର ପ୍ରଚାର ପ୍ରସାର କରିଥିଲେ । ଧୀରେ ଧୀରେ ଏହି ବିପ୍ଳବ ପୁରା ବିଶ୍ୱକୁ ଛୁଇଁଥିଲା । ଯାହା ଫଳରେ ଆଉ ଆମେ ସମସ୍ତେ ଏବେ ମାର୍ଚ୍ଚ ୨୦ କୁ ପଖାଳ ଦିବସ ରୂପେ ପାଳନ କରୁଛେ । ୨୦୧୧ ମସିହାରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା। ଯାହା ଡିଜିଟାଲ ଦୁନିଆରେ ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।

ସେହିପରି ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ ଓ ତାମିଲନାଡ଼ୁ ସମେତ ପଡ଼ୋଶୀ ବାଂଲାଦେଶରେ ମଧ୍ୟ ଲୋକେ ପଖାଳ ଖାଇ ଥାଆନ୍ତି । ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟମାନଙ୍କୁ ଛାଡ଼ି ଦେଲେ ଅନ୍ୟ କେଉଁଠି ଭାତକୁ ପାଣିରେ ରଖି ବାସୀ ତୋରାଣି ସହ ଖାଇବାର ପରମ୍ପରା ନାହିଁ ।

Leave A Reply

Your email address will not be published.