ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ପୁଣି ମାଡ଼ି ମାଡ଼ି ଚାଲିଲାଣି କରୋନା ସଂକ୍ରମଣ । ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଲାଣି । ଏହାରି ଭିତରେ କରୋନା ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ ହେବେ । ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ଉପରମୁହାଁ ହୋଇଛି କରୋନା ଗ୍ରାଫ ।
ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି । ଗତକାଲି ଦୈନିକ ସଂକ୍ରମଣ ୫ହଜାର ପାର ହେବା ପରେ ଆଲର୍ଟରେ ରହିଛନ୍ତି ସରକାର । ଦେଶରେ ଏବେ କରୋନା ଆକ୍ଟିଭ ମାମଲା ୨୫ ହଜାର ଉପରେ ରହିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ୩ ଅଙ୍କ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ସ୍ଥିତିକୁ ଦୃଷ୍ଟିରେ ରଖି ଟେଷ୍ଟିଂ ସହିତ ସର୍ଭେଲାନ୍ସକୁ ବଢାଇଛି ସ୍ବାସ୍ଥ୍ୟ ବିଭାଗ ।