ବୃଦ୍ଧାଙ୍କ ପାଇଁ ମାନବିକତା ଦେଖାଇଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ :ଚାଲିବାକୁ ପାଦରେ ଶକ୍ତି ନ ଥିବା ବେଳେ ଛିଡ଼ା ହେବାକୁ ବଳ ନାହିଁ। ଏପରି ସ୍ଥିତିରେ ପରିଣତ ବୟସରେ ପହଞ୍ଚି ସାରିଥିବା ଜଣେ ବୃଦ୍ଧା ପେନସନ୍ ଗଣ୍ଡାକ ପାଇଁ ଏକ ଚେୟାରକୁ ଆଶାବାଡ଼ି କରି ମାଇଲ ବାଟ ଚାଲୁଥିବା ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେଉଥିଲା। ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଜଣେ ବୃଦ୍ଧାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।
ଏହି ବୃଦ୍ଧାଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବାଣୁଆଗୁଡା ଗାଁର ସୂର୍ଯ୍ୟ ହରିଜନ । ପେନସନ୍ ପାଇଁ ଜଣେ ବୃଦ୍ଧାଙ୍କ ଅସହାୟତା ପ୍ରକାଶ କରୁଥିବା ଏହି ଭିଡିଓ ଅର୍ଥ ମନ୍ତ୍ରୀ ସୀତାରମଣଙ୍କୁ ଖୁବ୍ ବ୍ୟଥିତ କରିଥିବା ବେଳେ ମାନବିକତା ଦୃଷ୍ଟିକୋଣରୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପଚାରିଛନ୍ତି। ଏଥିସହ ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ବୋଲି ଟ୍ୱିଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।
ନିର୍ମଳାଙ୍କ ଟ୍ୱିଟର ଜବାବ ରଖି ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ସମ୍ପୃକ୍ତା ବୃଦ୍ଧାଙ୍କ ପେନସନ ଟଙ୍କା ପଇଠ କରାଯାଇଥିବା ସୂଚନା ଦେଇଛନ୍ତି। ଆସନ୍ତା ମାସରୁ ବୃଦ୍ଧାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ବୋଲି ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଅର୍ଥ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।
ଏଥିସହ ସେ ଉଲ୍ଲେଖ କରିଛନ୍ତି, ବୃଦ୍ଧାଙ୍କ ଟିପ ଚିହ୍ନ ନ ମିଶିବାରୁ ଏହି ସମସ୍ୟା ଉପୁଜିଥିଲା। ଆମେ ତାଙ୍କ କଷ୍ଟ ବୁଝିପାରି ତୁରନ୍ତ ତାଙ୍କ ସମସ୍ୟାର ସମାଧାନ କରିଛୁ।
ସୂର୍ଯ୍ୟ ହରିଜନଙ୍କ ବୟସ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ। ଥରେ ଭତ୍ତା ଟଙ୍କା ଉଠାଇବାକୁ ନିକଟସ୍ଥ କିଓସ୍କ ବ୍ୟାଙ୍କ ଯାଉଥିବା ବେଳେ ତାଙ୍କ ପାଦ ଖସି ଗୋଡ଼ ଭାଙ୍ଗି ଯାଇଥିଲା। ବହୁ କଷ୍ଟରେ ଧାର ଉଧାର କରି ମେଡ଼ିକାଲ୍ରେ ଭଲ କରିଥିଲେ ଦୁଇ ପୁଅ। ଗତ ୪ ମାସ ହେଲା ସେ ବିଛଣାରୁ ଉଠି ପାରୁନଥିବାରୁ ଭତ୍ତା ଟଙ୍କା ଉଠାଇ ପାରୁନଥିଲେ।
ଚଳିତମାସ ସେ ସାମାନ୍ୟ ସୁସ୍ଥ ହୋଇଥିଲେ ବି ସଳଖି ଚାଲି ପାରୁନାହାନ୍ତି। ହେଲେ ଭତ୍ତା ଟଙ୍କା ପାଇବା ଆଶାରେ ପ୍ଲାଷ୍ଟିକ୍ ଚେୟାର ଭରସାରେ ସେ ପ୍ରଥମେ ଘର ନିକଟ ବାଣୁଆଗୁଡ଼ା ଗ୍ରାହକ ସେବା କେନ୍ଦ୍ରକୁ ଯାଇଥିଲେ। ସେଠାକୁ ପ୍ରାୟ ୫ ଥର ଦୌଡ଼ିବା ପରେ ବି ସମସ୍ୟା ସମାଧାନ ହୋଇ ନ ଥିଲା। ଏହାପରେ ସେ ୪ କିମି ଦୂର ସାରିଆପଡ଼ା ଗ୍ରାହକ ସେବା କେନ୍ଦ୍ରକୁ ଯାଇ ନିରାଶ ହୋଇଥିଲେ। ଟିପ ଚିହ୍ନ ନ ମିଶିବାରୁ ସେଠାରୁ ମଧ୍ୟ ତାଙ୍କୁ କିଛି ଟଙ୍କା ମିଳି ନ ଥିଲା।