୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣିବା ପାଇଁ ଫିଟିଲା ବାଟ
୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣିବା ପାଇଁ ରାସ୍ତା ପରିସ୍କାର ହୋଇଛି । ଆମେରିକା ସୁପ୍ରିମକୋର୍ଟରେ ତହବୁର କରିଥିବା ଆବେଦନ ଖାରଜ ହେବା ପରେ ତହବୁର ରାଣାକୁ ଭାରତ ଆଣିବା ଉପରେ ଥିବା ପ୍ରତିବନ୍ଧକ ହଟିଛି । ତହବୁର ରାଣାକୁ ଭାରତ ପ୍ରତ୍ୟାର୍ପଣ ନକରିବାକୁ ଆମେରିକା ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଏହି ଆବେଦନରେ ତହବୁର କହିଥିଲେ କି ତାଙ୍କ ପ୍ରତ୍ୟାର୍ପଣ ଉପରେ ତୁରନ୍ତ ରହିତାଦେଶ ଲଗାଯାଉ । ଏହାସହ ସେ ଲେଖିଥିଲେ ଯେ, ଯଦି ତାଙ୍କୁ ଭାରତ ପଠାଇଦିଆଯିବ ତେବେ ଭାରତରେ ତାଙ୍କୁ ପ୍ରତାଡିତ କରାଯିବ । ଫଳରେ ଭାରତରେ ସେ ଅଧିକ ଦିନ ବଞ୍ଚିପାରିବେ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରିଥିଲେ ।
ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଆମେରିକା କୋର୍ଟରେ କରିଥିବା ଆବେଦନରେ ଭାରତ ଉପରେ ଅନେକ ଅଭିଯୋଗ ଆଣିଥିଲେ । ସେ ଲେଖିଥିଲେ କି ମାନବାଧିକାର କମିଶନ ୨୦୨୩ ରେ ରିପୋର୍ଟ କରିଛି କି, ଭାରତରେ ବିଜେପି ସରକାର ବିଶେଷ କରି ସଂଖ୍ୟାଲଘୁଙ୍କ ସହ ଭେଦଭାବ କରୁଛି ଓ ସଂଖ୍ୟାଲଘୁଙ୍କ ସହ ଏକଛାତ୍ରବାଦ ଶାସନ ଚଳାଇଛି । ଏହି କାରଣରୁ ଯଦି ମୋତେ ଭାରତ ପଠାଇଦିଆଯିବ ତେବେ ମୁଁ ପାକିସ୍ତାନୀ ମୁସଲମାନ ହୋଇଥିବାରୁ ସେଠାରେ ମୋତେ ପ୍ରତାଡିତ କରାଯିବ । ଏହାସହ ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କୁ ଭାରତ ପଠାନଯାଉ ବୋଲି ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ ।
ତହବୁର ରାଣା ପାକିସ୍ତାନର ମୂଳ ବାସିନ୍ଦା । କିନ୍ତୁ ସେ କାନାଡାର ନାଗରିକତା ପାଇଛନ୍ତି । ଏବେ ସେ ଲସ୍ ଏଞ୍ଜେଲସର ଏକ ଜେଲରେ ବନ୍ଦୀ ଅଛନ୍ତି । ତାଙ୍କୁ ଲସ୍କର-ଏ-ତୋଏବାର ଆତଙ୍କବାଦୀ ଡେଭିିଡ୍ ହେଡଲୀଙ୍କ ନିକଟତର ବୋଲି କୁହାଯାଏ । ଡେଭିଡଙ୍କୁ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କୁହାଯାଉଛି । ଏହି ଆକ୍ରମଣରେ ୧୭୫ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।
ଫେବୃଆରୀ ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତରେ ଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ କି ତହବୁର ରାଣାଙ୍କୁ ଭାରତ ଫେରାଇଦେବାକୁ ସେ ଅନୁମତି ଦେଇଛନ୍ତି । ଏବେ ତହବୁରଙ୍କୁ ଭାରତରେ ଟ୍ରାଏଲର ସାମ୍ନା କରିବାକୁ ପଡିବ ।
୨୦୧୧ ମସିହାରେ ଏନଆଇଏ ତରଫରୁ ତହବୁର ରାଣାଙ୍କ ସମେତ ୯ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାୟର କରିଥିଲା । ଯେଉଁଥିରେ ତହବୁରଙ୍କ ଉପରେ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଓ ଅପରେଶନଙ୍କୁ ସଫଳ କରିବା ଅଭିଯୋଗ ଆଣିଥିଲା ।