ବାତ୍ୟା ପାଇଁ ଆଜିଠୁ ୬ ଯାଏ ବଦଳିବ ପାଣିପାଗ
ଭୁବନେଶ୍ବର: ଆସନ୍ତାକାଲି ଠାରୁ ଧୀରେଧୀରେ ବଦଳିବ ପାଗ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମର କିଛି ସ୍ଥାନରେ ଆରମ୍ଭ ହୋଇଯିବ ବର୍ଷା। ଉପକୂଳ ଓଡ଼ିଶା ସମେତ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ବି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
୪ ତାରିଖ ବେଳକୁ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଆସିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିର କିଛି ସ୍ଥାନରେ ୭ରୁ ୧୧ ସେମି ଯାଏ ବର୍ଷା ହେବା ବିଚିତ୍ର ନୁହେଁ। ୧୩ ଜିଲ୍ଲାରେ ପ୍ରଭାବ ରଖିବ। ୫ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିବ। ଅର୍ଥାତ୍ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ପରିମାଣ ବଢ଼ି ୨୦ ସେମି ଯାଏ ଛୁଇଁଯାଇପାରେ। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀରେ ସେଦିନ ୭ରୁ ୧୧ ସେମି ଯାଏ ବର୍ଷାର ଭୟ ରହିଛି। ନୟାଗଡ଼, ଜଗତସିଂହପୁର, ଖୋର୍ଧା, କଟକ ମଧ୍ୟ ବର୍ଷାରେ ଭିଜିବେ। ୬ ତାରିଖରେ ବି ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି।
ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡ଼ୁ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ଏହା ପରେ ଉତ୍ତର ଆଡ଼କୁ ଗତି କରିବ ଏବଂ ଦକ୍ଷିଣ ଆନ୍ଧ୍ର କୂଳେ କୂଳେ ଆଗକୁ ବଢ଼ିବ। ୫ ତାରିଖରେ ଏହା ନେଲୋର-ମଚ୍ଛଲିପଟନମ୍ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ଓ ସେତେବେଳେ ପବନର ବେଗ ସର୍ବାଧିକ ୮୦ରୁ ୯୦ କିଲୋମିଟର ରହିପାରେ। ସ୍ଥଳ ବିଶେଷରେ ଏହା ୧୦୦ କିଲୋମିଟର ଛୁଇଁବ। ପାଣିପାଗ ବିଭାଗର ଆକଳନ କହୁଛି ଯେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପପୁରରେ ୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ମଧ୍ୟରେ ରହିପାରେ।