କ୍ରୀଡ଼ାମନ୍ତ୍ରୀଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ରେସଲର
ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହାନ୍ତି ରେସଲରମାନେ । ବ୍ରିଜ ଭୂଷଣଙ୍କ ଗିରଫଦାରୀ ଦାବି କରି ସେମାନେ ନିଜ ଜିଦ୍ରେ ଅଡ଼ି ବସିଥିବା ବେଳେ ଷ୍ଟାର ରେସଲର ଭିନେଶ ଫୋଗଟ ଦେଇଛନ୍ତି ଚାଞ୍ଚଲ୍ୟକର ମନ୍ତବ୍ୟ ।ନିଜ ଶକ୍ତିର ଦୁରପଯୋଗ କରୁଥିବା ଜଣେ କ୍ଷମତାଶାଳୀ ବ୍ୟକ୍ତିଙ୍କ ବିରୋଧରେ ଛିଡ଼ା ହେବା ଖୁବ୍ କଷ୍ଟକର ପାଠ। ଆମେ ନ୍ୟାୟ ପାଇଁ ଏପରି ଜଣେ ବ୍ୟକ୍ତିଙ୍କ ବିରୋଧରେ ଛିଡ଼ା ହୋଇଥିବା ବେଳେ ବିଭିନ୍ନ ଆଡ଼ୁ ଚାପର ଶିକାର ହେଉଛୁ। ଖୋଦ୍ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରି ଏହି ମାମଲାକୁ ଚାପି ଦେବାକୁ ଆପ୍ରାଣ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ଭିନେଶ ଫୋଗଟ ।
ପ୍ରଥମ ଥର ଜନ୍ତର ମନ୍ତରରେ ଆନ୍ଦୋଳନ ଆରମ୍ଭ କରିବାର ପ୍ରାୟ ୪ ମାସ ପୂର୍ବରୁ ଆମର ଏକ ଦଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଅଧିକାରୀଙ୍କ ନିକଟରେ ନିଜ ଅଭିଯୋଗ ରଖିଥିଲେ । ଏପରିକି ଯୌନ ଉତ୍ପୀଡ଼ନ ଓ ମାନସିକ ନିର୍ଯାତନାର ଶିକାର ହେଉଥିବା ନେଇ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି। ଏହାପରେ ଆମେ ଧାରଣାରେ ବସିବାକୁ ସ୍ଥିର କଲୁ ବୋଲି କହିଛନ୍ତି ଭିନେଶ ଫୋଗଟ ।