ଧରା ପଡିଲା ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ,ଜାଣନ୍ତୁ କିଏ

0

ମୁମ୍ବାଇ: ଇ-ମେଲ୍‌ରେ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କୁ ହତ୍ୟା ଧମକ ପଠାଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଇଂଲଣ୍ଡ୍‌ରେ ଡାକ୍ତରୀ ପଢୁଥିବା ଜଣେ ଭାରତୀୟ ଛାତ୍ରଙ୍କ ନାଁରେ ‘ଲୁକ୍‌ ଆଉଟ୍‌ ସର୍କୁଲାର୍‌’ ଜାରି କରିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ହତ୍ୟା ଧମକ ମେଲ୍‌ର ପ୍ରେରକ ବୋଲି ଚିହ୍ନଟ କରାଯିବା ପରେ ସମ୍ପୃକ୍ତ ଛାତ୍ରଙ୍କୁ ଭାରତ ଫେରାଇ ଆଣିବା ଲାଗି ପୁଲିସ ପ୍ରକ୍ରିୟା ଆରମ୍ଭ କରିଥିବା କଥା ମଧ୍ୟ ମଙ୍ଗଳବାର ଦିନ ଉକ୍ତ ସରକାରୀ ଅଧିକାରୀଜଣକ କହିଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ, ହରିୟାଣାର ଉକ୍ତ ଛାତ୍ରଜଣକ ଇଂଲଣ୍ଡ୍‌ରେ ତୃତୀୟ ବର୍ଷ ଡାକ୍ତରୀ ପାଠ୍ୟକ୍ରମ ଅଧ୍ୟୟନ କରୁଛନ୍ତି। ଇଂଲଣ୍ଡ୍‌ରେ ଶିକ୍ଷା-ବର୍ଷ ଶେଷ କରି ସେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ପ୍ରତ୍ୟାବର୍ତ୍ତ କରିବାର ସମ୍ଭାବନା ରହିଛି।ପୁଲିସ ସନ୍ଦେହ କରୁଛି ଯେ, ଜେଲ୍‌ରେ ଥିବା ଗ୍ୟାଙ୍ଗ୍‌ଷ୍ଟର୍‌ ଗୋଲ୍‌ଡି ବ୍ରାର୍‌ଙ୍କ ନାଁ’ରେ ଗତ ମାର୍ଚ ମାସରେ ଉକ୍ତ ଛାତ୍ର ସଲ୍‌ମାନ୍‌ ଖାନ୍‌ଙ୍କ ନିକଟକୁ ହତ୍ୟା ଧମକ ବାର୍ତ୍ତା ପଠାଇଥିଲେ।

ସୂଚନାଯୋଗ୍ୟ, ଅଳ୍ପ ଦିନ ତଳେ ନିଜ ‘ଅଫିସିୟାଲ୍‌ ଆଇଡି’ରେ ସଲ୍‌ମାନ୍‌ ଖାନ୍‌ ଗୋଟାଏ ଇ-ମେଲ୍‌ ପାଇଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ, ଲରେନ୍‌ସ୍‌ ବିଷ୍ଣୋଇଙ୍କ ସହଯୋଗୀ ଗୋଲ୍‌ଡି ବ୍ରାର୍‌ଙ୍କୁ ଭେଟି ବିବାଦର ସ୍ଥାୟୀ ସମାଧାନ କରନ୍ତୁ, ନଚେତ୍‌ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ।

Leave A Reply

Your email address will not be published.