ପ୍ରେମ ଅଛି, କିନ୍ତୁ ବିବାହ ନାହିଁ! ଯୁବପିଢିର ମନୋଭାବ ପଛରେ କ’ଣ?
ଭୁବନେଶ୍ଵର,୦୨/୦୨: ସମାଜରେ ବିବାହକୁ ସଦା ଜୀବନର ଏକ ଅବିଭାତ୍ୟ ଅଂଶ ଭାବେ ଦେଖାଯାଇଆସୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଏହି ଧାରଣାରେ ବଡ଼ ପରିବର୍ତ୍ତନ ଦେଖାଯାଉଛି। ବିଶେଷକରି ଜେନ୍–ଜି ପିଢି ମଧ୍ୟରେ ବିବାହ ପ୍ରତି ଆଗ୍ରହ ହ୍ରାସ ପାଉଛି ଏବଂ ସେମାନେ ବିବାହକୁ ଆବଶ୍ୟକତା ନୁହେଁ, ବରଂ ଏକ ବିକଳ୍ପ ଭାବେ ଦେଖୁଛନ୍ତି।
*ବିବାହ ଓ ସମ୍ପର୍କ—ଦୁଇଟି ଭିନ୍ନ ଧାରଣା*
ଆଜିକାଲି ଯୁବମାନେ ବିବାହ ଓ ସମ୍ପର୍କକୁ ଏକ ଭାବରେ ଦେଖୁନାହାନ୍ତି। ସମ୍ପର୍କରେ ରହିବାକୁ ସେମାନେ ସହଜ ମନେ କରୁଥିବାବେଳେ, ବିବାହ ସହିତ ଜଡିତ ଦାୟିତ୍ୱ, ସମାଜିକ ଆଶା-ଆକାଂକ୍ଷା ଓ ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ନେଇ ସେମାନେ ସନ୍ଦିହାନ।
*ସ୍ୱାଧୀନତା ପ୍ରଥମ ପସନ୍ଦ*
ଜେନ୍–ଜି ପିଢି ନିଜ ସ୍ୱାଧୀନତାକୁ ସବୁଠାରୁ ଅଧିକ ମୂଲ୍ୟ ଦେଉଛି। ନିଜ ସମୟ, କ୍ୟାରିଅର ନିଷ୍ପତ୍ତି, ଜୀବନଶୈଳୀ ଓ ପସନ୍ଦ ଉପରେ ନିଜ ନିୟନ୍ତ୍ରଣ ରଖିବାକୁ ସେମାନେ ଚାହୁଁଛନ୍ତି। ବିବାହ ପରେ ଏହି ସ୍ୱାଧୀନତା କମିଯିବ ବୋଲି ଧାରଣା ଥିବାରୁ, ଅନେକେ ଅବିବାହିତ ରହିବାକୁ ପସନ୍ଦ କରୁଛନ୍ତି।
କ୍ୟାରିଅର ଓ ବ୍ୟକ୍ତିଗତ ବିକାଶକୁ ଅଧିକ ପ୍ରାଥମିକତା
ଆଜିକାଲି ଯୁବପିଢି ପାଇଁ କ୍ୟାରିଅର ଗଢ଼ିବା, ଆର୍ଥିକ ସ୍ୱାଧୀନତା ଓ ନିଜକୁ ସ୍ଥାପିତ କରିବା ସବୁଠାରୁ ବଡ଼ ଲକ୍ଷ୍ୟ। ସମ୍ପର୍କ ଓ ବିବାହକୁ ସମୟସାପେକ୍ଷ ଓ ମାନସିକ ଚାପ ଭରା ବୋଲି ଭାବି, ସେମାନେ ଏହି ସମୟକୁ ନିଜ ଲକ୍ଷ୍ୟ ପୂରଣରେ ବିନିଯୋଗ କରିବାକୁ ଭଲପାଉଛନ୍ତି।
*ପ୍ରେମ ସହିତ ଆସୁଥିବା ଦାୟିତ୍ୱ ଓ ଭାବପ୍ରବଣ ଚାପ*
ଗବେଷଣା ଦର୍ଶାଏ ଯେ, ଆଜିକାଲି ଯୁବମାନେ ପ୍ରେମକୁ କେବଳ ରୋମାଣ୍ଟିକ ଭାବନା ଭାବେ ନୁହେଁ, ବରଂ ଏକ ଦାୟିତ୍ୱପୂର୍ଣ୍ଣ ସମ୍ପର୍କ ଭାବେ ଦେଖୁଛନ୍ତି। ଭୁଲ ବୁଝାମଣା, ଭାବପ୍ରବଣ ନାଟକ ଓ ମାନସିକ ଅସ୍ଥିରତାକୁ ଏଡ଼ାଇବା ପାଇଁ ଅନେକେ ସମ୍ପର୍କରୁ ମଧ୍ୟ ଦୂରେଇ ରହିବାକୁ ଚାହୁଁଛନ୍ତି।
*‘ଏକା ରହିଲେ ଖୁସି’—ବଦଳୁଥିବା ମନୋଭାବ*
ପୂର୍ବେ ଖୁସି ରହିବା ପାଇଁ ସହଧର୍ମିଣୀ କିମ୍ବା ପରିବାରକୁ ଆବଶ୍ୟକ ମନେ କରାଯାଉଥିଲା। କିନ୍ତୁ ଏବେ ଅଧିକାଂଶ ଯୁବମାନେ ଭାବୁଛନ୍ତି ଯେ ଖୁସି ରହିବା ପାଇଁ ଅନ୍ୟଙ୍କ ଉପରେ ନିର୍ଭର କରିବା ଆବଶ୍ୟକ ନୁହେଁ। ଏକା ରହି ମଧ୍ୟ ଏକ ସମ୍ପୂର୍ଣ୍ଣ ଓ ସନ୍ତୁଷ୍ଟ ଜୀବନ ଜୀଇଁହେବ।
*ସମାଜିକ ଚାପକୁ ଅଣ ଦେଖା*
ବିବାହକୁ ନେଇ ପରିବାର ଓ ସମାଜର ଚାପ ସତ୍ତ୍ୱେ ମଧ୍ୟ, ଜେନ୍–ଜି ପିଢି ନିଜ ନିଷ୍ପତ୍ତିକୁ ଆଗରେ ରଖୁଛି। ସେମାନେ ଭାବୁଛନ୍ତି—ଜୀବନ ଏକଥର ମିଳେ, ତେଣୁ ଅନ୍ୟଙ୍କ ଆଶା ପୂରଣ ପାଇଁ ନୁହେଁ, ନିଜ ସନ୍ତୁଷ୍ଟି ପାଇଁ ଜୀବନ ବଞ୍ଚିବା ଉଚିତ।