୨୪ଯାଏ ତାତିରୁ ଆଶ୍ୱସ୍ତି ନାହିଁ

0

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ତାଣ୍ଡବ। ଶନିବାର ଦିନ ୧୧ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୪୨.୬ ଡିଗ୍ରି, ସମ୍ବଲପୁରରେ ୪୧.୮ ଡିଗ୍ରି, ନୂଆପଡ଼ାରେ ୪୧.୪ ଡିଗ୍ରି ଓ ସୋନପୁରରେ ୪୧.୩ ଡିଗ୍ରି ରେକର୍ଡ ହୋଇଛି। ଅତ୍ୟଧିକ ଦିନ ତାପମାତ୍ରା ଓ ବାୟୁମଣ୍ଡଳର ଆର୍ଦ୍ରତା ଯୋଗୁଁ ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ୨୪ ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ହେବ।

ଉତ୍ତର-ପଶ୍ଚିମ ଭାରତକୁ ପଶ୍ଚିମା ଝଡ଼ ପ୍ରଭାବିତ କରିବା ଫଳରେ ଓଡ଼ିଶାରେ ୨୪ ତାରିଖ ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ। ଅନ୍ୟପଟେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର କିଛି ଅଂଶକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ କାଳ‌ବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏଥିପାଇଁ ତାପମାତ୍ରା‌ରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ। କିଛି କିଛି ଅଞ୍ଚଳର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ରବିବାର ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କେତେକ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଜାରି ରହିବ। ଆସନ୍ତାକାଲି ଭୁବନେଶ୍ବରରେ ଅଳ୍ପ ବର୍ଷା ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।

Leave A Reply

Your email address will not be published.