ଭୁବନେଶ୍ବର (ଆମ ଟିଭି): ସମସ୍ତେ ଜୀବନରେ ସଫଳ ହେବାକୁ ଚାହାନ୍ତି। କିଛି ଲୋକ କଠିନ ପରିଶ୍ରମ ଦ୍ୱାରା ସଫଳତା ହାସଲ ମଧ୍ୟ କରନ୍ତି, କିନ୍ତୁ କିଛି ଖରାପ ଅଭ୍ୟାସ ଯୋଗୁଁ ସେହି ସଫଳତା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ ନାହିଁ। ନୀତି ଶାସ୍ତ୍ରରେ ଏମିତି କିଛି ଅଭ୍ୟାସ ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ଯାହା ମଣିଷର ଧନ, ସମ୍ମାନ ଓ ଭବିଷ୍ୟତକୁ ଧ୍ୱଂସ କରିଦିଏ।
୧. ଆଳସ୍ୟ (ଅଳସୁଆପଣ)
ନୀତି ଶାସ୍ତ୍ରରେ ଆଳସ୍ୟକୁ ମଣିଷର ସବୁଠାରୁ ବଡ଼ ଶତ୍ରୁ ବୋଲି କୁହାଯାଇଛି। ଯେଉଁ ବ୍ୟକ୍ତି କାମକୁ ଟାଳେ, ସମୟକୁ ଅବହେଳା କରେ ଓ ସଦା ଆଳସ୍ୟରେ ଡୁବି ରହେ, ସେ ବ୍ୟକ୍ତି କେବେ ବି ଜୀବନରେ ଆଗକୁ ବଢ଼ିପାରେ ନାହିଁ। ଶାସ୍ତ୍ର ଅନୁସାରେ, ଦେବୀ ଲକ୍ଷ୍ମୀ ସଦା କର୍ମଠ ଓ ପରିଶ୍ରମୀ ଲୋକଙ୍କ ପାଖକୁ ଯାଆନ୍ତି। ଆଳସ୍ୟ ମଣିଷର କ୍ଷମତାକୁ ଧୀରେ ଧୀରେ ଶେଷ କରିଦିଏ।
୨. ମଦ୍ୟ ପାନ
ମଦ୍ୟ ପାନକୁ ଶାସ୍ତ୍ରରେ ଅତ୍ୟନ୍ତ ହାନିକାରକ ଅଭ୍ୟାସ ବୋଲି ଗଣାଯାଇଛି। ଏହା ମଣିଷର ବୁଦ୍ଧିକୁ ନଷ୍ଟ କରେ ଏବଂ ସଠିକ୍ ନିଷ୍ପତ୍ତି ନେବାର କ୍ଷମତାକୁ କମାଇଦିଏ। ମଦ୍ୟାସକ୍ତ ବ୍ୟକ୍ତି ଧୀରେ ଧୀରେ ଅହଙ୍କାରୀ ଓ ଅବିବେକୀ ହୋଇଯାଏ। ଫଳରେ ଧନ, ପରିବାର ଓ ସମ୍ମାନ—ତିନିଏ ନଷ୍ଟ ହୋଇଯାଏ। ଶାସ୍ତ୍ର କହେ, ମଦ୍ୟ ପାନ କେତେ ବଡ଼ ଧନୀକୁ ମଧ୍ୟ ରାସ୍ତାକୁ ଆଣିଦେଇପାରେ।
୩. ପରସ୍ତ୍ରୀଙ୍କ ପ୍ରତି ମୋହ
ନୀତି ଶାସ୍ତ୍ର ଅନୁସାରେ ପରସ୍ତ୍ରୀଙ୍କ ପ୍ରତି ଆସକ୍ତି ମଣିଷର ଚରିତ୍ରକୁ ଧ୍ୱଂସ କରେ। ଏଭଳି ବ୍ୟକ୍ତି ସମାଜରେ କେବେ ବି ସମ୍ମାନ ପାଇନଥାଏ। ଅନୈତିକ ସମ୍ପର୍କ ଯୋଗୁଁ ମଣିଷର ଧନ, ପରିବାରିକ ଶାନ୍ତି ଓ ସାମାଜିକ ପରିଚୟ ନଷ୍ଟ ହୋଇଯାଏ। ଶାସ୍ତ୍ର ମତାନୁସାରେ, ନିଜ ଚାଲିଚଳନ ଭଲ ନଥିଲେ ସଫଳତା ଦୀର୍ଘକାଳ ଧରି ରହିପାରେ ନାହିଁ।
୪. ଦିନରେ ଶୋଇବା
ଦିନରେ ଶୋଇବାକୁ ଶାସ୍ତ୍ରରେ ଦାରିଦ୍ର୍ୟର ଲକ୍ଷଣ ବୋଲି କୁହାଯାଇଛି। ଏହା ମଣିଷର ଆଳସ୍ୟକୁ ବଢ଼ାଏ ଓ କର୍ମଶୀଳତାକୁ କମାଇଦିଏ। ମା’ ଲକ୍ଷ୍ମୀ ସେହି ଘରକୁ ଯାଆନ୍ତି ନାହିଁ, ଯେଉଁଠାରେ ଦିନକୁ ଦିନ ଶୋଇ ରହିବାର ଅଭ୍ୟାସ ରହିଛି। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କର୍ମହୀନତାକୁ ଅସଫଳତାର ମୁଖ୍ୟ କାରଣ ବୋଲି କହିଛନ୍ତି।
୫. ଜୁଆ ଖେଳିବା
ଜୁଆକୁ ସର୍ବନାଶର ମୂଳ କୁହାଯାଏ। ଇତିହାସ ଓ ପୁରାଣରେ ଏହାର ଅନେକ ଉଦାହରଣ ମିଳେ। ମହାଭାରତରେ ଯୁଆ କାରଣରୁ ହିଁ ପାଣ୍ଡବମାନେ ନିଜର ରାଜ୍ୟ, ସମ୍ମାନ ଓ ସୁଖ ହରାଇଥିଲେ। ଜୁଆ ମଣିଷକୁ ଲୋଭୀ କରେ ଏବଂ ଧୀରେ ଧୀରେ ସମସ୍ତ ଧନ ଓ ମାନ-ସମ୍ମାନ ନଷ୍ଟ କରିଦିଏ।