ଏହିମାନଙ୍କୁ ମିଳିବ ଭୂମି ସମ୍ମାନ
ନୂଆଦିଲ୍ଲୀ : ଲ୍ୟାଣ୍ଡ ରେକର୍ଡସ୍ର ସଂପୂର୍ଣ୍ଣ ଡିଜିଟାଇଜେସନ ପାଇଁ ଜୁଲାଇ ୧୮ରେ ସ୍ଥାନୀୟ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦେଶର ୬୮ଟି ଜିଲ୍ଲାର ଜିଲ୍ଲାପାଳ ଓ ସେମାନଙ୍କ ଟିମ୍ ଏବଂ ୯ ଜଣ ସଚିବଙ୍କୁ ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ କରିବେ। ୬୮ଟି ଜିଲ୍ଲାରୁ ଓଡ଼ିଶାର ସର୍ବାଧିକ ୧୯ ଜିଲ୍ଲା ରହିଛି। ସେଗୁଡ଼ିକ ହେଲା- ଅନୁଗୁଳ, ବୌଦ୍ଧ,ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼,ନୂଆପଡ଼ା,ରାୟଗଡ଼ା ଓ ସମ୍ବଲପୁର।
ଗତ ୭୫ ବର୍ଷରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶର ୬୮ ଜିଲ୍ଲାପାଳଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଭୂମି ସମ୍ମାନ ପ୍ରଦାନ କରାଯାଉଛି ଯାହା ଐତିହାସିକ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଂଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି। ରାଜ୍ୟର ରାଜସ୍ବ ତଥା ପଂଜୀକରଣ ପଦାଧିକାରୀଙ୍କ ପାଇଁ ଏହି ସମ୍ମାନ ଅତ୍ୟନ୍ତ ଗୁରତ୍ବ ବହନ କରୁଛି ବୋଲି ମନ୍ତ୍ରୀ ମତ ଦେଇଛନ୍ତି। ଲ୍ୟାଣ୍ଡ ରେକର୍ଡସ୍ଗୁଡ଼ିକର ପଂଜୀକରଣ ତଥା ଡିଜିଟାଲକରଣ ଯୋଗୁ ଜମି ବିବାଦ ସଂବନ୍ଧିତ ମକଦ୍ଦମା ହ୍ରାସ କରିବାରେ ସହାୟକ ହୋଇପାରିବ।