ଯୁଦ୍ଧକୁ ନେଇ ଏମିତି କହିଲେ ପୁଟିନ
ମସ୍କୋ: ରୁଷ୍ର ଶକ୍ତିଶାଳୀ ସେନା-ଶିଳ୍ପ କାରଖାନାଗୁଡ଼ିକ ଉତ୍ପାଦନ ତ୍ବରାନ୍ବିତ କରୁଥିବାରୁ ୟୁକ୍ରେନ୍ ଉପରେ ତାଙ୍କ ଦେଶର ବିଜୟ ସୁନିଶ୍ଚିତ ବୋଲି ବୁଧବାର ଦିନ ରାଷ୍ଟ୍ରପତି ଭ୍ଲାଦିମିର୍ପୁଟିନ୍ କହିଛନ୍ତି।
‘ଏୟାର୍ ଡିଫେନ୍ସ୍ ସିଷ୍ଟମ୍’ ନିର୍ମାଣ କରୁଥିବା ସେଣ୍ଟ୍ ପିଟର୍ସବର୍ଗସ୍ଥିତ ଗୋଟାଏ କାରଖାନାର କର୍ମୀମାନଙ୍କୁ ଉଦ୍ବୋଧନ ଦେବା ବେଳେ ପୁଟିନ୍ କହିଛନ୍ତି, ୟୁକ୍ରେନ୍ରେ ରୁଷ୍ର ‘ବିଶେଷ ସାମରିକ ଅଭିଯାନ’ କାରଣରୁ ସାମଗ୍ରିକ ଭାବେ ସେନା ଉପକରଣ ଉତ୍ପାଦନ ଚାହିଦା ବୃଦ୍ଧି ପାଉଛି।
ଶେଷ ପରିଣତି ତଥା ସୁନିଶ୍ଚିତ ବିଜୟ ହାସଲ କରିବା ଦିଗରେ କେତେଗୁଡ଼ିଏ ଜିନିଷ ସହାୟକ ହେଉଛି। ସେଗୁଡ଼ିକ ହେଉଛି, ରୁଷୀୟ ଏବଂ ବହୁଦେଶୀୟ ରୁଷ୍ବାସୀଙ୍କ ଏକତା ଓ ସହାବସ୍ଥାନ, ଆମ ଯୋଦ୍ଧାମାନଙ୍କର ସାହସ ଓ ବାହାଦୁରି ଏବଂ ଆପଣମାନଙ୍କ ପରି ଲୋକ ଓ ଆପଣମାନଙ୍କର ସେନା-ଶିଳ୍ପ ଓ କାରଖାନା ବୋଲି ସେ କହିଛନ୍ତି।