ଅରୁଣାଚଳ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ୍ କହିଲେ ଏମିତି କିଛି
ନୂଆଦିଲ୍ଲୀ : ଶୁକ୍ରବାର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରେ ହୋଇଥିବା ସେନା ହେଲିକାପ୍ଟର ଦୁର୍ଘଟଣାକୁ ନେଇ କେତେକ ନୂଆ ତଥ୍ୟ ଆସିଛି । ହେଲିକାପ୍ଚର ଦୁର୍ଘଟଣା ହେବା ପୂର୍ବରୁ ପାଇଲଟଙ୍କ ପକ୍ଷରୁ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ‘ମେ ଡେ କଲ୍’ କରାଯାଇଥିଲା । ବିମାନର ପାଇଲଟ କିମ୍ବା ଜାହାଜର ଚାଳକ ବିପଦରେ ପଡ଼ିବା ପରେ ଉଦ୍ଧାର ପାଇଁ ଏପରି ସିଗନାଲ ଦେଇଥାନ୍ତି ।
ଏଥିରୁ ଜଣାପଡ଼ୁଛି ଯେ ହେଲିକାପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଥିଲା ଓ ଆକାଶରେ ଥିବାବେଳେ ହିଁ ପାଇଲଟ୍ ତାହାକୁ ଜାଣିପାରିଥିଲେ । ତେବେ ସେନା ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ଦୁର୍ଘଟଣାର ପ୍ରକୃତ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ପୂର୍ବାହ୍ଣ ୧୦ଟା ୪୩ ମିନିଟ୍ ସମୟରେ ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲ୍ଲାର ମିଗିଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସେନାର ଏକ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ଏଏଲଏଚ) ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉକ୍ତ ହେଲିକପ୍ଟରରେ ପାଇଲଟଙ୍କୁ ମିଶାଇ ମୋଟ ୫ ଜଣ ସେନା କର୍ମଚାରୀ ଥିଲେ ।