ଟ୍ରେନ୍ରେ ବରିଷ୍ଠ ନାଗରିକଙ୍କୁ ରିହାତି ମାମଲାରେ ଏମିତି କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଟ୍ରେନ୍ରେ ବରିଷ୍ଠ ନାଗରିକଙ୍କୁ ରିହାତି ଦେବା ସମ୍ପର୍କିତ ଏକ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। କରୋନା ମହାମାରୀ ସମୟରେ ଗମନାଗମନ ଉପରେ ରୋକ ଲାଗିଥିବା ବେଳେ ସେହି ରିହାତିକୁ ବନ୍ଦ କରିଦିଆଯାଇଥିଲା। ମହାମାରୀ ପରେ ସ୍ଥିତି ସ୍ବାଭାବିକ ହେବା ସତ୍ତ୍ବେ ସେହି ରିହାତିକୁ ପୁନର୍ବାର କାର୍ଯ୍ୟକାରୀ କରାଯାଉନାହିଁ। ସେ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ସେହି ମାମଲାକୁ ଜଷ୍ଟିସ୍ ଏସ୍ କେ କୌଲ ଓ ଏ ଅମନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଛନ୍ତି।
ମାମଲାକୁ ଖାରଜ କରି ଖଣ୍ଡପୀଠ ଜଣାଇଛନ୍ତି ଯେ ସମ୍ବିଧାନର ଧାରା ୩୨ ଅଧୀନରେ ଏହି ପ୍ରସଙ୍ଗରେ ରିଟ୍ ଜାରି କରିବା କୋର୍ଟଙ୍କ ପାଇଁ ଯୁକ୍ତିଯୁକ୍ତ ମନେ ହେଉନି। ବରିଷ୍ଠ ନାଗରିକମାନଙ୍କ ଆବଶ୍ୟକତା ଓ ଏହି ନିଷ୍ପତ୍ତିର ଆର୍ଥିକ ପ୍ରଭାବ ବିଚାରକୁ ନେଇ ସରକାର ଯାହା କିଛି ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ବରିଷ୍ଠ ନାଗରିକଙ୍କୁ ଟ୍ରେନ୍ ଯାତ୍ରାରେ ଦିଆଯାଉଥିବା ରିହାତି ପୁନର୍ବାର ଲାଗୁ କରିବାକୁ ନିକଟରେ ଏକ ସଂସଦୀୟ କମିଟି ସୁପାରିସ କରିଥିଲା। ମହାମାରୀ ପୂର୍ବରୁ ରେଳବାଇ ପକ୍ଷରୁ ୬୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କୁ ଟିକଟ ଉପରେ ୪୦ ପ୍ରତିାତ ଓ ୫୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ଟିକଟ ଉପରେ ୫୦ ପ୍ରତିଶତ ରିହାତି ଦିଆଯାଉଥିଲା।