କଟକ(ଆମ ଟିଭି): କଟକର ଐତିହାସିକ ବାଲିଯାତ୍ରା ଶେଷ ହୋଇଛି। ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରାରେ ରେକର୍ଡ ପରିମାଣର ବ୍ୟବସାୟ ହୋଇଛି । ମେଳାର ତଳ ଓ ଉପର ପଡିଆରେ ଆୟୋଜିତ ବଡ଼ରୁ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନରେ ପ୍ରାୟ ୨୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବିଶେଷକରି ତଳ ବାଲିଯାତ୍ରା ପଡିଆରେ ଓରମାସ ପକ୍ଷରୁ ହୋଇଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ୯ ଦିନ ମଧ୍ୟରେ ୩୭ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି ।
ଏଥର ଓରମାସ ମେଳାରେ ୪୨୦ ଷ୍ଟଲ ଓ ୫୦ରୁ ଅଧିକ ମୁକ୍ତାକାଶ ବ୍ୟବସାୟିକ ଷ୍ଟଲ ଖୋଲା ଯାଇଥିଲା । ମିଶନ ଶକ୍ତି, ନାବାର୍ଡ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଏନଜିଓ ସହିତ ୨୨ ରାଜ୍ୟର ବ୍ୟବସାୟୀ ଏଥିରେ ଭାଗ ନେଇଥିଲେ । ମେଳାରେ ପ୍ରାୟ ୨୦ରୁ ଅଧିକ ନୂତନ ସାମଗ୍ରୀକୁ ପ୍ରମାଣପତ୍ର ଦିଆଯାଇଥିଲା । ୨୦୨୨ରେ ଏହି ମେଳାରୁ ୨୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଏଥର ଏହି ରେକର୍ଡ ଭାଙ୍ଗିଛି ।