ଜାନୁଆରୀ ୩୦ରୁ ଉତ୍କଳ ମଣ୍ଡପରେ ତିନି ଦିନିଆ ମୟୁରଭଞ୍ଜ ଉତ୍ସବ

0

ଭୁବନେଶ୍ୱର (ଆମ ଟିଭି): ମୟୁରଭଞ୍ଜ ସାଂସ୍କୃତିକ ସଂସଦ, ଭୁବନେଶ୍ବର ଆନୁକୁଲ୍ୟରେ ଆସନ୍ତା ଜାନୁଆରୀ ୩୦ ରୁ ୧ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପଠାରେ ତିନିଦିନିଆ ଚିତ୍ତାକର୍ଷକ “ମୟୁରଭଞ୍ଜ ଉତ୍ସବ” ଅନୁଷ୍ଠିତ ହେବାକୁ ଯାଉଛି l ଏହି ଅବସରରେ ମୟୁରଭଞ୍ଜ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା l ଏହି ସମ୍ମିଳନୀରେ ସୁକାନ୍ତ ରଥ, ମୟୂରଭଞ୍ଜ ସାଂସ୍କୃତିକ ସଙ୍ଗଠନର ସାଧାରଣ ସମ୍ପାଦକ, ରଜନୀକାନ୍ତ ବିଶ୍ୱାଳ, ଚିନ୍ମୟ ଦାସ ପଟ୍ଟନାୟକ, ସ୍ୱରୂପ ଦାସ, ଗୋକୁଳ ଚରଣ ଦାସ ଏବଂ ସଞ୍ଜୀବ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

ଏହି ଉତ୍ସବର କେତୋଟି ମୌଳିକ ଉଦ୍ଦେଶ୍ୟ ରହିଛି ଯାହା ଓଡିଶାର ଲୋକମାନଙ୍କ ଭିତରେ ମୟୁରଭଞ୍ଜ ସଂସ୍କୃତିର ପ୍ରଚାର ଓ ପ୍ରସାର କରି, ସେ ସଂସ୍କୃତି କିପରି ଓଡ଼ିଶାର ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି, ତାହା ପ୍ରଦର୍ଶନ କରିବାର ଏହା ଏକ ସୃଜନଶୀଳ ନିଚ୍ଛକ ପ୍ରୟାସ l ଦ୍ବିତୀୟତଃ ମୟୁରଭଞ୍ଜର ବିଭିନ୍ନ ସ୍ଥାନର ପ୍ରତିଭାମାନଙ୍କୁ ରାଜଧାନୀରେ ଏକ ଉତ୍ତମ ମଂଚ ଯୋଗାଇବା ଏହାର ଅନ୍ୟ ଏକ ଉଦ୍ଦେଶ୍ୟ l ତୃତୀୟତଃ ସଂସ୍କୃତି ମାଧ୍ୟମରେ ଲୋକମାନଙ୍କୁ ଆକର୍ଷିତ କରି ମୟୁରଭଞ୍ଜର ପର୍ଯ୍ୟଟନକୁ ବିସ୍ତାର କରିବା ଏବଂ ମୟୁରଭଞ୍ଜର ସାମଗ୍ରିକ ଉନ୍ନତି ପାଇଁ ମୟୁରଭଞ୍ଜକୁ ଏକ Public – Private Investment Destination ବନାଇବା ଏହାର ଅନ୍ୟ ଏକ ଉଦ୍ଦେଶ୍ୟ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅଧିବାସୀମାନଙ୍କୁ ନେଇ ବେଶ୍ କିଛି ଆଞ୍ଚଳିକ ସଂଘ ଅଛି, ଏବଂ ଏହି ସଂଘଗୁଡ଼ିକ ନିଜ ନିଜ ଅଞ୍ଚଳର ଲୋକମାନଙ୍କ ପାଇଁ କାର୍ଯ୍ୟକ୍ରମ କରିଥାଆନ୍ତି, କିନ୍ତୁ “ମୟୁରଭଞ୍ଜ ସାଂସ୍କୃତିକ ସଂସଦ” ଭୁବନେଶ୍ବରର ବୋଧହୁଏ ପ୍ରଥମ ଆଞ୍ଚଳିକ ସଂଘ ଯାହାଦ୍ୱାରା କି କେବଳ ମୟୁରଭଞ୍ଜ ର ଅଧିବାସୀମାନଙ୍କ ପାଇଁ ନୁହେଁ ବରଂ ସମସ୍ତ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ବରରେ ରଖାଯାଇଛି l ଏହି କାର୍ଯ୍ୟକ୍ରମର ତିନୋଟି ଅଂଶ – ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରାଫ୍ଟ ମେଳା ଓ ବ୍ୟଞ୍ଜନ ଆଦି, ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଭୟ ପ୍ରତିଷ୍ଠିତ ଓ ଉଦୀୟମାନ କଳାକାରମାନେ ଆଧୁନିକ ଓ ପାରମ୍ପାରିକ କାର୍ଯ୍ୟକ୍ରମ ପରିବେଷଣ କରିବେ l ମୟୁରଭଞ୍ଜର ବିଭିନ୍ନ ସ୍ଥାନରୁ ଏଥିପାଇଁ କଳାକାର ମାନଙ୍କୁ ବଛାଯାଇଛି l ମୟୂରଭଞ୍ଜର ପ୍ରସିଦ୍ଧ ଛଉନାଚ, ଝୁମର ସଂଗୀତ, ପଲ୍ଲୀନୃତ୍ୟ, ପାରମ୍ପରିକ ଆଦିବାସୀ ନୃତ୍ୟ ସହିତ ମୟୁରଭଞ୍ଜର ସିନେମା ଓ ଟେଲିଭିଜନ୍ ର କଳାକାର ମାନଙ୍କୁ ନେଇ ସମ୍ପୂର୍ଣ୍ଣ ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି l କ୍ରାଫ୍ଟ ମେଳାରେ ଖିଚିଂ ର ପଥର ବାସନ ଓ ମୟୁରଭଞ୍ଜର ଟସର ଉପରେ ଷ୍ଟଲ ମାନ ଖୋଲା ଯିବାର ସ୍ଥିରୀକୃତ ହୋଇଛି l ଏହା ବ୍ୟତୀତ ଦର୍ଶକମାନେ ମୟୁରଭଞ୍ଜର ପ୍ରସିଦ୍ଧ ବ୍ୟଞ୍ଜନ ମୁଢି – ମାଂସ ର ମଧ୍ୟ ମଜା ନେଇପାରିବେ ବୋଲି ଆୟୋଜକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.