ମୁକ୍ତିଲାଭ କରୁଛି ତିନି ଓଡ଼ିଆ ସିନେମା ‘ମନ ମ୍ୟୁଜିୟମ୍’, ‘ନାରୀ ନୁହେଁ ତୁ ଅର୍ଦ୍ଧନାରୀ’ ଏବଂ ‘ମନସ୍କ’

0

ଭୁବନେଶ୍ୱର (ଆମ ଟିଭି): ଶୁକ୍ରବାର ଫ୍ରାଇଡେ ରିଲିଜ୍ ଅବସରରେ ବଡ଼ ପରଦାରେ ମୁକ୍ତିଲାଭ କରୁଛି ୩ଟି ଓଡ଼ିଆ ଚଳଚ୍ଚିତ୍ର । ସେ ଭିତରେ ରହିଛି ; ‘ମନ ମ୍ୟୁଜିୟମ୍’, ‘ନାରୀ ନୁହେଁ ତୁ ଅର୍ଦ୍ଧନାରୀ’ ଏବଂ ‘ମନସ୍କ’। ସଙ୍ଗୀତା ମୋସନ୍ ପିକ୍‌ଚର୍ସ ବ୍ୟାନରରେ ନିର୍ମିତ ‘ମନ ମ୍ୟୁଜିୟମ୍’ ପତି ଓ ମାନିର ୨୦ ବର୍ଷ ତଳର ପିଲାଦିନର ସ୍ମୃତିଭରା ମିଠା ପ୍ରେମ ଉପରେ ଆଧାରିତ । ଏହାର ମୁଖ୍ୟ ଚରିତ୍ରରେ ନିହାର, ଉପାସନା, ସାୟଲ, ସୂର୍ୟ୍ୟମୟୀ, ଅନିମେଶ ଓ ପ୍ରଶାନ୍ତ ପାତ୍ର ପ୍ରମୁଖ ଅଭିନୟ କରିଛନ୍ତି । ପ୍ରଯୋଜନା ସଙ୍ଗୀତା ମହାନ୍ତି କରିଥିବାବେଳେ ସିନେମା ନିର୍ମାଣ ପଛରେ ଧୁବାନନ୍ଦ ପଣ୍ଡା ଓ ଟିମ୍ ବହୁ ପରିଶ୍ରମ କରିଛନ୍ତି । ଶ୍ରୀ ପଣ୍ଡା ଏହାର ନିର୍ଦ୍ଦେଶନା ଦେଇଛନ୍ତି । କାହାଣୀ ରଶ୍ମିରେଖା ପଣ୍ଡା, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା। ଗୀତ ବିଜୟ ମଲୁ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶରତ ନାୟକ । ଡିଓପିରେ ଲିଟୁ ଓ ଜିତୁ, କଳା ନିର୍ଦ୍ଦେଶନାରେ ବିଶ୍ଵନାଥ ନାୟକ, ସମ୍ପାଦନାରେ ସୁକୁମାର ମଣି, କୋରିଓଗ୍ରାଫିରେ ଗିରିଶ ମହାନ୍ତି ଏବଂ ପ୍ରଡକ୍ସନ୍ ଡିଜାଇନର ଭାବେ ବିରାଜ ସହଯୋଗ କରିଛନ୍ତି। ଦର୍ଶକଙ୍କୁ ସିନେମାର ଗୀତ, ଟେଲର ସବୁ ପସନ୍ଦ ଆସିଛି, ଯାହାର ପ୍ରଶଂସା ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି ।

ସେହି ପରି ଚନ୍ଦ୍ରାବତୀ ଭିଜନ ବ୍ୟାନରରେ ପ୍ରସ୍ତୁତ ହୋଇଛି ‘ନାରୀ ନୁହେଁ ତୁ ଅର୍ଦ୍ଧନାରୀ’ । ଏଥିରେ ଜଣେ ଅର୍ଦ୍ଧନାରୀ ଗୋଟିଏ ପରେ ଗୋଟିଏ ମର୍ଡର କରି ପୁଲିସ୍ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍ ସାଜିଛି। ଆଉ ଏହା ପଛର ଉତ୍ତର ଦେଖିବାକୁ ମିଳିବ ସିନେମାରେ। ଏଥିରେ ମୁଖ୍ୟ ଭୂମିକାରେ ସମ୍ବିତ୍ କୁମାର, ଲକ୍ଷ୍ମୀପ୍ରିୟା, ରୋଶନ, ପାୟଲ, ହରିହର ମହାପାତ୍ର, ଅସିତ୍ ପତି, ଜଲିଉଡ ଷ୍ଟାର୍ ସୁରେଶ ପଣ୍ଡା, ପପୁ ପଣ୍ଡାଙ୍କ ସହ ମିତା ଚକ୍ରବର୍ତୀ, ପିଣ୍ଟୁ, ସିପୁ ପ୍ରମୁଖ ରହିଛନ୍ତି। ସିନେମାର କାହାଣୀ । ସୟିତ୍ କୁମାର ସାହୁ ଲେଖିଥିବାବେଳେ ସହ- ପ୍ରଯୋଜନାରେ ସଞ୍ଜୟ କୁମାର ସାହୁ, ସଂଳାପରେ ପପୁ ବ୍ରହ୍ମ, ସଙ୍ଗୀତ ଶ୍ରୀନିବାସ ବିଶ୍ଵାଳ, ଡିଓପିରେ ରାଜୁ ଦାସ ଏବଂ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛତି ମାନସ ସାହୁ । ଗୀତଗୁଡ଼ିକ ଲେଖିଛନ୍ତି ସୁଦୀପ, ଅନ୍ନପୂର୍ଣ୍ଣା, ଶ୍ରୀନିବାସ, ଅନୁମ ମହାନ୍ତି, ସୋନାଲି ଓ କୁମାର ଲର୍ଜି । ଗୀତଗୁଡ଼ିକ ଗାଇଛନ୍ତି ଟି. ସୌରୀ, ଆର୍‌ଏସ୍ କୁମାର, ପ୍ରଜ୍ଞା, ଅର୍ପିତା, ଜଗଦୀଶ, ନିରଞ୍ଜନ ଓ କୃଷ୍ଣ। ସିନେମାଟି ରାଜ୍ୟର ୧୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି ।

ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୧୧ଟାରେ କଟକ ବୃନ୍ଦାବନରେ ସିନେମାର ପ୍ରିମିୟର ହେଉଛି। ଏହାଛଡ଼ା ସନ୍ଧ୍ୟା ୬ଟାରେ ଭୁବନେଶ୍ଵର ସିନେପୋଲିସ୍‌ରେ ଚଳଚ୍ଚିତ୍ର ‘ମନସ୍କ’ ଶୁଭମୁକ୍ତି କରୁଛି। ମାକ୍ସ ମ୍ୟାନ୍ ଫିଲ୍ମସ୍ ପ୍ରଯୋଜିତ ଏବଂ ଭବାନୀ ପ୍ରସାଦ ମାଝୀଙ୍କ ପ୍ରଯୋଜନାରେ ନିର୍ମିତ ଏହି ସିନେମାଟି ପ୍ରଶ୍ନ ଆଉ ଉତ୍ତରର ପ୍ରହେଳିକା ମଝିରେ ଛଟପଟ ହେଉଥିବା ଏକ କାହାଣୀ। ଏକ ମନସ୍ତାତ୍ତ୍ୱିକ ଆଉ ଦାର୍ଶନିକ କାହାଣୀ । ଏହାର ମୁଖ୍ୟ ଭୂମିକାରେ ଅଶ୍ଵିନୀ ରାୟ, ମଧୁମିତା ବାରିକ ଅଭିନୟ କରିଛନ୍ତି। ଶିଶୁ କଳାକାର ଭୂମିକାରେ ଅର୍ପିତାଂଶୁ ଏବଂ ଅନ୍ୟାନ୍ୟ ଚରିତ୍ରରେ ଦେବଦତ୍ତ ନନ୍ଦ, ରାଜେଶ୍ଵର ପାତ୍ର ଏବଂ ଚୌଧୁରୀ ବିକାଶ ଦାସ ପରଦାରେ ନଜର ଆସିବେ । ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି କାର୍ଡିଓ ସର୍ଜନ ଡା, ଲିଙ୍ଗରାଜ ନାଥ । ନିର୍ଦ୍ଦେଶନା ଦେଇଛନ୍ତି ପୁରସ୍କାରପ୍ରାପ୍ତ ପ୍ରତିଭାବାନ ନିର୍ଦ୍ଦେଶକ ମାନସ ସାହୁ । ସଙ୍ଗୀତ ଓ ପ୍ରଚ୍ଛଦ ବାଦ୍ୟରେ କିଶାଳୟ ରଏ, ଶବ୍ଦରେ ସୁଜୟ ଦାସ, କ୍ୟାମେରାରେ ଶୁଭେନ୍ଦୁ ଘଡ଼ାଇ, ସମ୍ପାଦନାରେ ମନୀନ୍ଦ୍ର ପଟ୍ଟନାୟକ ପ୍ରମୁଖ ରହିଛନ୍ତି। ପ୍ରଚ୍ଛଦରେ ସହକାରୀ ପ୍ରଯୋଜକ ଭାବେ ଏଲିନା ସାମଲ, ଡ. ଏଲ୍.ଆର୍. ନାଥ, ନିର୍ବାହୀ ପ୍ରଯୋଜିକା ତୁସ୍ମିତା ପଟେଲ ଏବଂ ପୋଷ୍ଟ ପ୍ରଡକ୍ସନ୍ ସୁପରଭାଇଜର୍‌ରେ ଜିତେନ୍ଦ୍ର ସେଠୀ ଓ ଡିଜିଟାଲ୍ ଡ୍ରିମ୍ନ ସହାୟତା ଦେଇଛନ୍ତି ।

Leave A Reply

Your email address will not be published.