ଚ୍ୟାଲେଞ୍ଜେ ହେଲା କାଳ, ଚାଲିଗଲ ଜୀବନ
ଭୁବନେଶ୍ୱର:ସାଙ୍ଗମାନେ ଦେଇଥିବା ଚ୍ୟାଲେଞ୍ଜକୁ ଜିତିବା ପାଇଁ ଦମ୍ଭ ଦେଖାଇବା ମହଙ୍ଗା ପଡ଼ିଛି। ଚ୍ୟାଲେଞ୍ଜ ଜିତିବାକୁ ୩ ବୋତଲ ଦେଶୀ ମଦ ପିଇ ଜଣେ ୪୫ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେ ମାତ୍ର ୧୦ ମିନିଟ୍ ଭିତରେ ୫୪୦ ମିଲି ଲିଟର ବା ୩ଟି କ୍ୱାର୍ଟର ମଦ ପିଇଥିଲେ। ନିଶାର ଓଭରଡୋଜ୍ ଯୋଗୁ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶରର ଆଗ୍ରା ପୁଲିସ୍ ବ୍ୟକ୍ତିଙ୍କୁ ଚ୍ୟାଲେଞ୍ଜ ଦେଇଥିବା ୨ ଜଣ ବନ୍ଧୁଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
ମଦର ଓଭରଡୋଜ୍ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଜୟ ସିଂହ। ସେ ଜଣେ ଇ-ରିକ୍ସା ଡ୍ରାଇଭର। ଫେବୃଆରୀ ୮ରେ ସେ ଦୁଇ ବନ୍ଧୁଙ୍କ ଚ୍ୟାଲେଞ୍ଜ ଗ୍ରହଣ କରି ୩ ବୋତଲ ମଦ ପିଇ ଦେଇଥିଲେ। ମଦ ପିଇବାର କିଛି ସମୟରେ ଜୟ ସିଂହଙ୍କୁ ତାଙ୍କ ୧୬ ବର୍ଷୀୟ ପୁଅ କରନ ଶିଳ୍ପଗ୍ରାମ ନିକଟ ରାସ୍ତା କଡ଼ରୁ ଠାବ କରିଥିଲେ।
ଏହି ସମୟରେ ଜୟ ସିଂହଙ୍କର ଚେତା ନଥିଲା। ପ୍ରାଥମିକ ଭାବେ ତାଙ୍କୁ ନିକଟସ୍ଥ ଦୁଇଟି ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ମନା କରି ଦେଇଥିଲେ। ଏହାପରେ ତାଙ୍କୁ ଏସଏନ ମେଡିକାଲ କଲେଜ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ଘଟଣାର ବେଶ କିଛି ଦିନ ପରେ ଅର୍ଥାତ ମଙ୍ଗଳବାର ଏଫଆଇଆର ରୁଜୁ କରିବା ସହ ଜୟ ସିଂହଙ୍କ ଦୁଇ ବନ୍ଧୁ ଭୋଳା ଓ କେଶବଙ୍କୁ ଗିରଫ କରିଛି।ତାଇଗଞ୍ଜ ପୁଲିସ୍ ଷ୍ଟେସନର ଏସଏଚ୍ଓ ବାହାଦୂର ସିଂହ କହିଛନ୍ତି, “ଭୋଳା ଓ କେଶବଙ୍କୁ ଗିରଫ କରାଯାଇଥିଲା ଓ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି।