ଗିରଫ ହେଲେ ଟିଏମସି ନେତା ସାକେତ ଗୋଖଲେ
ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ସୂତ୍ରରୁ ପ୍ରକାଶ ଯେ ଇଡି, ଗୋଖଲେଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବ। ଦାନ ମାଧ୍ୟମରେ ସଂଗୃହୀତ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଗୋଖଲେଙ୍କୁ ଡିସେମ୍ବର ୩୦, ୨୦୨୨ରେ ଦିଲ୍ଲୀରୁ ଅହମ୍ମଦାବାଦ ସାଇବର କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ତାଙ୍କୁ ଆଇପିସି ଧାରା ୪୨୦ (ଠକେଇ), ୪୦୬ (ଅପରାଧିକ ଉଲ୍ଲଂଘନ) ଏବଂ ୪୬୭ (ଜାଲିଆତି) ଅଭିଯୋଗରେ ଗିରଫ କରାଯାଇଛି। ଏହାପୂର୍ବରୁ ବ୍ରିଜ ଭୁଶୁଡ଼ିବା ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋର୍ବି ଗସ୍ତରେ ଆସିଥିବା ଖର୍ଚ୍ଚ ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରି ଗୋଖଲେଙ୍କୁ ଡିସେମ୍ବର ୬ରେ ସାଇବର କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହି ମାମଲାରେ ଜାମିନ ପାଇବା ପରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା। ସେହି ଦିନଠାରୁ ଗୋଖଲେ ନ୍ୟାୟିକ ହେପାଜତରେ ରହିଥିଲେ। ୨୩ ଜାନୁଆରୀରେ ଗୁଜୁରାଟ ହାଇକୋର୍ଟ ଦାନ ମାଧ୍ୟମରେ ସଂଗୃହୀତ ଅର୍ଥର ଅପବ୍ୟବହାର ଅଭିଯୋଗରେ ଗୋଖଲେଙ୍କୁ ନିୟମିତ ଜାମିନ ଦେବାକୁ ମନା କରିଦେଇଥିଲେ। ହାଇକୋର୍ଟର ଜଷ୍ଟିସ ସମୀର ଦବେ ଗୋଖଲେଙ୍କୁ ଚାର୍ଜସିଟ ଦାଖଲ ହେବା ପରେ କୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ଜଷ୍ଟିସ୍ ଦବେ କହିଥିଲେ ଯେ ଚାର୍ଜସିଟ୍ ଦାଖଲ ହେବା ପରେ ହିଁ ଆମେ ଏହି ଆବେଦନ ଉପରେ ବିଚାର କରିବୁ।