କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଟିଏମସି ସାଂସଦ ମହୁଆ ମୋଇତ୍ରା, ଥାନାରେ ମାମଲା ରୁଜୁ

0

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା । ମହୁଆଙ୍କ ବୟାନକୁ ନେଇ ଏବେ ଚାରିଆଡେ ହଙ୍ଗାମା ଦେଖାଦେଇଛି । ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲରେ ରଖିଦେବାକୁ କହିଛନ୍ତି ମହୁଆ । ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହୁଆ କହିଛନ୍ତି, ଯଦି ଭାରତ ସୀମାରେ କେହି ରକ୍ଷା କରିବାକୁ ନାହାଁନ୍ତି, ଯଦି ଅନ୍ୟ ଦେଶର ହଜାର ହଜାର ଲୋକ ପ୍ରତିଦିନ ଅନୁପ୍ରବେଶ କରୁଛନ୍ତି, ଆମ ମା’ ଓ ଭଉଣୀଙ୍କ ଉପରେ ଖରାପ ଦୃଷ୍ଟି ପକାଉଛନ୍ତି, ଆମ ଜମି ଛଡ଼ାଇ ନେଉଛନ୍ତି । ତା’ହେଲେ ପ୍ରଥମେ ଗୃହମନ୍ତ୍ରୀଙ୍କ ମୁଣ୍ଡ କାଟି ଟେବୁଲ୍ ଉପରେ ରଖିଦେବା ଉଚିତ୍ । ମହୁଆଙ୍କ ଏଭଳି ବିବାଦୀୟ ବୟାନ ପରେ ଏବେ ରାଜନୀତି ଜୋର୍ ଧରିଛି । ତାଙ୍କ ନାମରେ କୋତୱାଲି ଥାନାରେ ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଗଣମାଧ୍ୟମ କର୍ମୀ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନରେ ମହୁଆ ଉତ୍ତ୍ୟକ୍ତ ହୋଇ କହିଥିଲେ ଯେ, ଆମ ସୀମାର ସୁରକ୍ଷା ଦାୟିତ୍ଵ ଜାତୀୟ ଏଜେନ୍ସି ହାତରେ ରହିଛି । ଯାହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ରହିଛି ।

ମହୁଆ କହିଛନ୍ତି, ସୀମାରେ ବିଏସଏଫ ଯବାନଙ୍କୁ ନିୟୋଜିତ କରାଯାଇଛି । ଆମେ ଏବେବି ତାଙ୍କୁ ଡ଼ରି ରହୁଛୁ। ବାଂଲାଦେଶ ଆମର ବନ୍ଧୁ ଦେଶ । ହେଲେ ସେମାନଙ୍କ ପାଇଁ ଗତ କିଛି ବର୍ଷ ହେବ ଦୁଇ ଦେଶ ଭିତରେ ସମ୍ପର୍କ ବଦଳିଛି । ତେବେ ମହୁଆଙ୍କ ଏଭଳି ଉତ୍ତେଜନାପୂର୍ଣ୍ଣ ଟିପ୍ପଣୀ ପରେ ନଦିଆ ଜିଲ୍ଲା ବିଜେପି କୋତୱାଲି ଥାନାରେ ଅଭିଯୋଗ କରିଛନ୍ତି । ମହୁଆ ଏହି ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

Leave A Reply

Your email address will not be published.