ଆଜି ପୁଣି ୧୨ଜିଲ୍ଲାରେ କୁଆ ପଥର ସହ ବର୍ଷା

0

ଭୁବନେଶ୍ବର : ପଶ୍ଚିମା‌ ଝଡ଼ ପ୍ରଭାବରେ ଆଜି ରାଜ୍ୟର ୧୨ ଜିଲ୍ଲାରେ ବିଶେଷ କରି ଉପକୂଳ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌‌କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ବାଲେଶ୍ବର, ଭଦ୍ରକ, ଯ‌ାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଝଡ଼ବର୍ଷା ସହ କୁଆପଥର ବର୍ଷା ହୋଇପାରେ। ଏଥିସହ ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ବୌଦ୍ଧ ଆଦି ଜିଲ୍ଲାରେ ଝଡ଼ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ। ଏଣୁ ଏହି ୯ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ରାଜ୍ୟରେ ୧ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୨ ତାରିଖରୁ ରାଜ୍ୟର ପାଗ ଶୁଖିଲା ରହିବ। ଆଜି(ଶୁକ୍ରବାର) ସକାଳୁ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ଓ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ମଧ୍ୟରେ ରହିବ।

Leave A Reply

Your email address will not be published.