ବରଗଡ଼(ଆମ ଟିଭି): ବରଗଡରେ ଜାରି ରହିଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି। ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ-ବଳରାମଙ୍କ ବାଲ୍ୟ ଲୀଳା ଅଭିନୀତ ହୋଇଥିଲା। କୃଷ୍ଣବଳରାମ ଗୋପାଳ ବାଳକଙ୍କ ସହିତ ଗୋଚାରଣ କରି ବଣଭୋଜି କରିବାର ଦୃଶ୍ୟ ବେଶ ଉପଭୋଗ୍ୟ ହୋଇପାରିଛି।
ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣ ସଖା ସୁଦାମଙ୍କ ଖୁଦ ଭଜା ଖାଇବା ଦୃଶ୍ୟ ବେଶ୍ ହୃଦୟସ୍ୱର୍ଶୀ ଥିଲା। ପରେ ପରେ କୃଷ୍ଣ ଦହିହାଣ୍ଡି ଭାଙ୍ଗି ଦେବାରୁ ମା’ ଯଶୋଦା କୃଷ୍ଣଙ୍କୁ ବୃକ୍ଷରେ ବାନ୍ଧି ଦେଇଥିବାବେଳେ ଭଗବାନ ଶ୍ରୀକୃଷ୍ଣ ଶାପଗ୍ରସ୍ତ ଦୁଇ ଗର୍ନ୍ଧବ ଭାଇ ଯାମଳାର୍ଜୁନଙ୍କୁ ମୁକ୍ତ କରିଛନ୍ତି । ଏହି ଅବସରରେ ସୃଷ୍ଟି କର୍ତ୍ତା ବ୍ରହ୍ମା ଗୋପୀ ତଥା ରାଧାଙ୍କୁ ବିମୋହିତ କରିବା ପାଇଁ କୃଷ୍ଣଙ୍କୁ ମୋହନ ବଂଶୀ ପ୍ରଦାନ କରିଛନ୍ତି ।