ଆଜି ପବିତ୍ର ହେରା ପଞ୍ଚମୀ; ରଥ ଭାଙ୍ଗିବେ ମହାଲକ୍ଷ୍ମୀ

0

ପୁରୀ (ଆମ ଟିଭି):  ଆଜି ପବିତ୍ର ହେରା ପଞ୍ଚମୀ । ଶ୍ରୀ ଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିବସ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜ ପ୍ରାଣପ୍ରିୟା ପତ୍ନୀ ମା’ ଲକ୍ଷ୍ମୀଙ୍କୁ ଛାଡ଼ି ଜନ୍ମବେଦୀଙ୍କୁ ଆସିଛନ୍ତି । ଏଥିପାଇଁ ମା’ ଠାକୁରାଣାୀ ମହାପ୍ରଭୁଙ୍କ ଉପରେ ଅଭିମାନ କରିଛନ୍ତି । ଆଜି ଦେଖିବାକୁ ମିଳିବ ବଡ଼ଠାକୁରଙ୍କ ମାନବୀୟ ଲୀଳା କାରଣ ଶ୍ରୀକ୍ଷେତ୍ରର ‘ଶ୍ରୀ’ ଆଜି ରୋଷ କରିଛନ୍ତି । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କର ସାକ୍ଷାତ ହୋଇନାହିଁ । ଯେଉଁଥିପାଇଁ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି ମହାଲକ୍ଷ୍ମୀ ।

ତେଣୁ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଗତକାଲି ବନକଲାଗି ହୋଇଛନ୍ତି । ରଥଯାତ୍ରା ପାଳନ ଅବସରରେ ହେରାପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ମହାଲକ୍ଷ୍ମୀ ଆଷାଢ ଦ୍ୱିତୀୟା ତିଥୀ ଅର୍ଥାତ ଘୋଷଯାତ୍ରାର ପଞ୍ଚମ ଦିନରେ ସ୍ୱାମୀ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଗୋପନରେ ଯାତ୍ରା କରିଥିଲେ । ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ମହାଲକ୍ଷ୍ମୀଙ୍କର ଏହି ଯାତ୍ରା ହେରାପଞ୍ଚମୀ ନାମରେ ପ୍ରସିଦ୍ଧ ।

ଏହି ଯାତ୍ରା ଜଗନ୍ନାଥ ସଂସ୍କୃତିର ଏକ ମହତ୍ୱପୂର୍ଣ୍ଣ ବିଭବ ଅଟେ । ପ୍ରତ୍ୟେକ ଯୁଗରେ ଯେତେବେଳେ ଭଗବାନ ବିଷ୍ଣୁ ଧରାବତରଣ କରିଛନ୍ତି ସେତେବେଳେ ତାଙ୍କ ଅନୁରୋଧ ରକ୍ଷାକରି ମହାଲକ୍ଷ୍ମୀ ସର୍ବଦା ମର୍ତ୍ତ୍ୟାବରଣ କରିଥାନ୍ତି । ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ଦିନ ଲକ୍ଷ୍ମୀ ସ୍ୱରୁପା ରୁକ୍ମଣୀଙ୍କୁ ବିବାହ କରିଥାନ୍ତି । ଶୁକ୍ଲ ଚତୁଦର୍ଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୋଇଥାଏ । କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଗୋପ୍ୟ ହୋଇଯାଇଥାନ୍ତି, ମାତା ଲକ୍ଷ୍ମୀଙ୍କ ସହ ଆଉ ଦେଖା ସାକ୍ଷାତ ହୁଏ ନାହିଁ ।

ଏପଟେ ମହାପ୍ରଭୁଙ୍କୁ ସ୍ନାନ ପରେ ଜ୍ୱରାଗ୍ରସ୍ତ ହୋଇ ଅଣସର ଘରେ ରହିବାକୁ ପଡିଥାଏ ଓ ପରେ ପରେ ନବଯୌବନ ଦର୍ଶନ ଦେଇ ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଭଦ୍ରାଙ୍କୁ ନେଇ ଲକ୍ଷଲକ୍ଷ ଭକ୍ତ ଗହଣରେ ଗୁଣ୍ଡିଚା ରାଣୀ ଘରକୁ ଘୋଷଯାତ୍ରାରେ ବାହାରି ପଡନ୍ତି । ଏଥିରେ ମହାଲକ୍ଷ୍ମୀ କ୍ରୋଧିତ ହୋଇ ଏକ ସାଧାରଣ ଲୌକିକ ନାରୀ ରୂପେ ନିଜ ଦୁଃଖ ସମ୍ପର୍କରେ ଶ୍ରୀକ୍ଷେତ୍ର ରାଜେଶ୍ଵରୀ ମା’ ବିମଳାଙ୍କୁ କହିଥାନ୍ତି । ପରେ ମା’ ବିମଳାଙ୍କ ପରାମର୍ଶ କ୍ରମେ ମା’ ଭଗବତୀ ଆଜିର ପବିତ୍ର ଦିବସ ହେରା ପଞ୍ଚମୀ ଅବସରରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ।

ଦୀର୍ଘ ଦିନ ପରେ କାଳିଆ ସାଆନ୍ତ ଆଜି ମା’ ସାଆନ୍ତାଣୀଙ୍କୁ ଦେଖିବେ । ଶ୍ରୀମନ୍ଦିର ନୀତି ମୁତାବକ ପ୍ରଥମେ ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରନ୍ତି । ତା’ ପରେ ବନକ ଲାଗି, ପାଟ ଓ ଅଳଙ୍କାର ଲାଗି ହୁଏ । ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ଦେଇଥିବା ପନ୍ତି ଭୋଗ କରନ୍ତି ପୂଜାପଣ୍ଡା । ଏହାପରେ ମହାଜନମାନେ ମା’ ଲକ୍ଷ୍ମୀଙ୍କୁ ନେଇ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ କରାନ୍ତି । ବିମାନବଡ଼୍ରୁମାନେ ବିମାନ କାନ୍ଧେଇ, ଘଣ୍ଟ, କାହାଳୀ ବାଜା ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘର ସାମନାରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ଠିଆ ହୁଅନ୍ତି ।

ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରନ୍ତି । ଘଷା ବିଡ଼ିଆ ଓ ଦହିପଟି ମଣୋହି କରନ୍ତି । ଏ ମଧ୍ୟରେ ଗୁଣ୍ଡିଚା ଘରେ ତିନିବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସଂଧ୍ୟାଧୂପ ଉଠି ପୂଜାପଣ୍ଡା ପୂଜାରେ ବସିଥାନ୍ତି । ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟ ବିଜୟ ଦ୍ୱାରଠାକୁ ଆସିଥାନ୍ତି । ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପ ଦୀପ ଦେଇ ଟେରା ପକାନ୍ତି ।

ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ୱାର ଦେଇ ତେନ୍ତୁଳିଗଛ ପାଖରେ ରଖାଯାଏ । ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁଠାରୁ ହାତୁଆଣି ନେଇ ବନ୍ଦାପନା କରନ୍ତି ଓ ଦହିପଟି ମଣୋହି କରାନ୍ତି । ଏହାପରେ ତାଙ୍କର ବିମାନକୁ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଏ । ପ୍ରେମର ସୂଚକ ଭାବର ସୂଚକ ରୂପରେ ନନ୍ଦିଘୋସ ରଥର ହଂସ ପଟାରୁ ଗୋଟିଏ ଅଂଶକୁ ସେବକଙ୍କ ଭିତରୁ ଜଣେ ଭାଙ୍ଗି ଦେବା ପରେ ହରଗୌରୀ ସାହି ଦେଇ ବଡ଼ ଦେଉଳକୁ ବିଜେ କରନ୍ତି ମହାଲକ୍ଷ୍ମୀ ।

Leave A Reply

Your email address will not be published.