ଆଜି ‘ୱାଲ୍ଡ ଆର୍ଥ ଆୱାର ଡେ’ : ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଇଟ୍

0

ଆଜି ରାତି ୮:୩୦ ରୁ ୯:୩୦ ‘ଅର୍ଥ ଆୱାର’ । ଗୋଟିଏ ଘଣ୍ଟା ପୃଥିବୀ ପାଇଁ ମୂଲ୍ୟବାନ । ଆଜି ବିଶ୍ୱବ୍ୟାପୀ ‘ଅର୍ଥ ଆୱାର’ ପାଳନ କରାଯାଉଛି । ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ରାତି ୮:୩୦ ରୁ ୯:୩୦ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଏବଂ ପ୍ରକୃତିର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ।

ଅର୍ଥ ଆୱାରର ୫ଟି ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ପ୍ରଥମେ ଜଳବାୟୁ ପରିବର୍ତ୍ତନ ବିରୋଧରେ ସ୍ୱର ଉଠାଇବା । ବିଶ୍ୱ ତାପମାତ୍ରା ବୃଦ୍ଧି ଏବଂ ପ୍ରଦୂଷଣ ଯୋଗୁଁ ପୃଥିବୀ ଉପରେ ଯେଉଁ ବିପଦ ମାଡ଼ି ଆସୁଛି । ଅର୍ଥ ଆୱାର ତାହା ବିରୋଧରେ ଏହା ଏକ ପ୍ରଭାବଶାଳୀ ଜନ-ଆନ୍ଦୋଳନ । ଅର୍ଥ ଆୱାରର ଦ୍ବିତୀୟ ଉଦ୍ଦେଶ୍ୟ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ। କେବଳ ଏକ ଘଣ୍ଟା ପାଇଁ ଅନାବଶ୍ୟକ ଲାଇଟ୍ ବନ୍ଦ କରି ଆମେ ବିପୁଳ ପରିମାଣର ଶକ୍ତି ସଞ୍ଚୟ କରିପାରୁ, ଯାହା ପରିବେଶ ଉପରେ ଚାପ କମାଇଥାଏ । ତୃତୀୟରେ କାର୍ବନ ନିର୍ଗମନ ହ୍ରାସ । ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଓ ଗ୍ୟାସ୍ ବ୍ୟବହାର କରାଯାଏ, ଯାହାଦ୍ୱାରା ଅନେକ କାର୍ବନ ନିର୍ଗମନ ହୁଏ । ଏହି ଘଣ୍ଟିକିଆ ବିରତି ଦ୍ୱାରା ଆମେ ପ୍ରଦୂଷଣ କମାଇବାରେ ସାହାଯ୍ୟ କରୁ।

ଚତୁର୍ଥରେ ଅର୍ଥ ଆୱାର ବିଶ୍ୱ ଏକତାର ବାର୍ତ୍ତା ଦିଏ । ଏହି ଦିନ ପୃଥିବୀର ପ୍ରାୟ ୧୯୦ ରୁ ଅଧିକ ଦେଶର ଲୋକେ ଏକାଠି ହୋଇଥାନ୍ତି। ଏହା ପ୍ରମାଣ କରେ ଯେ, ଯଦି ଆମେ ସମସ୍ତେ ମିଶି ସାମାନ୍ୟ ପଦକ୍ଷେପ ନେବା, ତେବେ ପୃଥିବୀ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିପାରିବା । ପଞ୍ଚମରେ ଭବିଷ୍ୟତ ପାଇଁ ସଚେତନତା ସୃଷ୍ଟି କରେ ଅର୍ଥ ଆୱାର । ଏହା କେବଳ ଏକ ଘଣ୍ଟାର କାମ ନୁହେଁ, ବରଂ ପ୍ରତିଦିନ ସ୍ୱଳ୍ପ ବିଦ୍ୟୁତ୍ ବ୍ୟବହାର କରିବା ଏବଂ ପରିବେଶକୁ ଭଲ ପାଇବା ପାଇଁ ଆମକୁ ଶିକ୍ଷା ଦିଏ ।

Leave A Reply

Your email address will not be published.